ନେପାଳରେ ଭୂସ୍ଖଳନ: ୧୭ ମୃତ…

କାଠମାଣ୍ଡୁ, ୧୭।୯ : ପ୍ରବଳ ବର୍ଷା ଯୋଗୁ ପଶ୍ଚିମ ନେପାଳର ଅଛାମ ଜିଲାରେ ଏକ ବଡ ଧରଣର ପ୍ରାକୃତିକ ବିପର୍ଯ୍ୟୟ ଘଟିଛି। ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଯୋଗୁ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ଏହା ବ୍ୟତୀତ ମାଟି ତଳେ ଦବି ୧୦ ଜଣ ନିଖୋଜ ଅଛନ୍ତି ଏବଂ ୧୧ ଜଣଙ୍କୁ ଉଦ୍ଧାର କରାଯାଇଛି। ସହକାରୀ ଜିଲା ଅଧିକାରୀ ଦୀପେଶ ରିଜଲ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ଏଥି ସହିତ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ପାଇଁ ହେଲିକପ୍ଟର ନିୟୋଜିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

କାଠମାଣ୍ଡୁ ସହରଠାରୁ ପଶ୍ଚିମ ଅଛମ ଜିଲା ପ୍ରାୟ ୪୫୦ କିଲୋମିଟର ଦୂରରେ ଅବସ୍ଥିତ। ଏହି ଘଟଣାରେ ଆହତ ହୋଇଥିବା ୧୧ ଜଣଙ୍କୁ ଚିକିତ୍ସା ପାଇଁ ସୁରଖେତ ଜିଲାକୁ ନିଆଯାଇଛି। ଅଧିକାରୀଙ୍କ କହିବାନୁସାରେ, ଭୂସ୍ଖଳନରେ କେତେକ ଲୋଖ ନିଖୋଜ ଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି।

ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ନେପାଳ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି। ଏହି ଦୁର୍ଘଟଣା ଯୋଗୁଁ ପ୍ରଦେଶର ସାତଟି ଜିଲାକୁ ସଂଯୋଗ କରୁଥିବା ଭୀମଦତ୍ତ ରାଜପଥ ଅବରୋଧ ହୋଇଯାଇଛି। ଏହି ଘଟଣା ଯୋଗୁଁ ଅଛାମ ଜିଲାର ଯୋଗାଯୋଗ ସେବା ମଧ୍ୟ ପ୍ରଭାବିତ ହୋଇଛି।

Share