କୋରାପୁଟ-କିରଣ୍ଡୁଲ ରେଳ ଲାଇନରେ ଭୂସ୍ଖଳନ

କୋରାପୁଟ,୨୫ା୯(ଅମିତାଭ ବେହେରା):କୋରାପୁଟ ଜିଲା ମାନବାର-ଜରଟି ରେଳ ଷ୍ଟେଶନ ମଝି ତଥା କୋରାପୁଟ-କିରଣ୍ଡୁଲ ରେଳ ଲାଇନ୍‌ରେ ଶନିବାର ରାତିରେ ଭୂସ୍ଖଳନ ଯୋଗୁ ପାହାଡ଼ରୁ ମାଟି ଓ ପଥର ଖସି ରେଳ ଧାରଣାରେ ପଡିଛି। ଫଳରେ ରାତି ପ୍ରାୟ ୩ଟାରୁ ଉକ୍ତ ଲାଇନ୍‌ରେ ଯାତାୟାତ କରୁଥିବା ସମସ୍ତ ଟ୍ରେନ୍‌ କୋରାପୁଟ ଷ୍ଟେଶନରେ ଅଟକି ରହିଛି l ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରହିଛି। ତେବେ ମାଟି ଧସିବା ସମୟରେ ଏହି ଲାଇନ୍‌ରେ କୌଣସି ଯାତ୍ରୀବାହୀ କିମ୍ବା ମାଲବାହୀ ଟ୍ରେନ ଚଳାଚଳ କରି ନ ଥିବାରୁ କୌଣସି ଅଘଟଣ ଘଟିନାହିଁ।
ରେଳ ଧାରଣାରେ ପଥର ମାଟି ଖସିବା ଯୋଗୁ କୋରାପୁଟ-ଜଗଦଲପୁର, ବିଶାଖାପାଟଣା-ଜଗଦଲପୁରକୁ ଯାତାୟାତ କରୁଥିବା ଟ୍ରେନ୍‌ଗୁଡିକ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। କୋରାପୁଟ କିରଣ୍ଡୁଲ ଲାଇନରେ ୮ଟି ଟ୍ରେନକୁ ବାତିଲ କରାଯାଇଛି। ରେଳ ବିଭାଗର ପ୍ରାୟ ୨ଶହରୁ ଊର୍ଦ୍ଧ୍ୱ କର୍ମଚାରୀ ଉପସ୍ଥିତ ରହି ମରାମତି କାର୍ଯ୍ୟ ଜାରି ରଖିଛନ୍ତି। ଏହି ଘଟଣା ଯୋଗୁ ଯେଉଁ ଯାତ୍ରୀମାନେ କୋରାପୁଟରୁ ଜଗଦଲପୁର ଯିବା ପାଇଁ ଅପେକ୍ଷା କରିଥିଲେ ସେମାନେ କୋରାପୁଟ ଷ୍ଟେଶନରେ ଅଟକି ରହିଛନ୍ତି। ଜଗଦଲପୁର ଯିବାକୁ ଥିବା ମାଲବାହୀ ଟ୍ରେନଗୁଡିକ ମଧ୍ୟ ଅଟକି ରହିଛି। ଟ୍ରେନ ବାତିଲ ଯୋଗୁ ଦୂରଦୂରାନ୍ତରୁ ଆସିଥିବା ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କୋରାପୁଟରୁ ଜଗଦଲପୁର ଓ କିରଣ୍ଡୁଲ ମଧ୍ୟରେ ଯାତାୟାତ କରୁଥିବା ଟ୍ରେନଗୁଡିକୁ ବାତିଲ କରାଯାଇଛି l ତେବେ ସନ୍ଧ୍ୟା ବେଳକୁ କୋରାପୁଟ ଷ୍ଟେଶନରେ ଅଟକି ରହିଥିବା କୋରାପୁଟ-ଭୁବନେଶ୍ୱର ଓ କୋରାପୁଟ-ରାଉରକେଲା, କୋରାପୁଟରୁ ବିଶାଖାପାଟଣା ଟ୍ରେନ ଚଳାଚଳ କରିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ଯେଉଁ ଟ୍ରେନ୍‌ଗୁଡିକ ବାତିଲ ହୋଇଛି ସେନେଇ ଯାତ୍ରୀମାନଙ୍କୁ ଅବଗତ କରାଯାଉଛି। ଘଟଣାସ୍ଥଳରେ ରେଲଓ୍ବେର ଡେପୁଟି ଚିଫ୍‌ (କନ୍‌ଷ୍ଟ୍ରକ୍ସନ) ବି.ବି. ମହାରଣାଙ୍କ ତତ୍ତ୍ୱାବଧାନରେ ଲାଇନ୍‌ ମରାମତି କାର୍ଯ୍ୟ ଜାରି ରହିଛି। ଦିନେ ଦୁଇଦିନ ମଧ୍ୟରେ କାର୍ଯ୍ୟ ସାରି ଉକ୍ତ ଲାଇନରେ ସମସ୍ତ ରେଳ ଚଳାଚଳ ସ୍ବାଭାବିକ କରିବାକୁ ଆମେ ଉଦ୍ୟମ କରିବୁ ବୋଲି ମହାରଣା କହିଛନ୍ତିି। ସେଠାରେ ବିଭାଗର ସମସ୍ତ ପଦାଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରୁଛନ୍ତି। ଅନ୍ୟପକ୍ଷରେ ଜଗଦଲପୁର ଯିବାକୁ ଥିବା ଯାତ୍ରୀମାନେ ଗାଡି କରି ଯାଇଥିବା ଜଣାପଡିଛି। ସେହିପରି ଜଗଦଲପୁର ଆଡୁ ଆସୁଥିବା ଯାତ୍ରୀମାନେ ଜୟପୁର ଷ୍ଟେଶନରେ ଓହ୍ଲାଇ ଗାଡିକରି କୋରାପୁଟ ସମେତ ନିଜ ଗନ୍ତବ୍ୟ ସ୍ଥାନକୁ ଯାଇଥିବା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, କୋରାପୁଟ ଜିଲାରେ ଟ୍ରେନ୍‌ ଲାଇନଗୁଡିକ ପାହାଡ଼ ମଧ୍ୟଦେଇ ଯାଇଛି। ସେଥିପାଇଁ ପାହାଡ଼ କାଟି ଟ୍ରେନ ଲାଇନ୍‌ ନିର୍ମାଣ କରାଯାଇଛି। ଏବେ ଦ୍ୱିତୀୟ ଲାଇନ୍‌ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏଥିପାଇଁ ପାହାଡ଼ କଟା ହୋଇଛି। ଜିଲାରେ ଗତ କିଛି ଦିନ ଧରି ଲଗାଣ ବର୍ଷା ହୋଇଥିଲା। ଏହି ବର୍ଷାରେ ମାଟି ଓଦା ହୋଇ ରହିଥିବାରୁ ଭୂସ୍ଖଳନ ଘଟି ପାହାଡ଼ରୁ ପଥର ଓ ମାଟି ଧସି ଏପରି ପରିସ୍ଥିତି ଉପୁଜୁଛି।

Share