ପାରଳାଖେମୁଣ୍ଡି,୧୭।୭(ଡି.ଏନ୍.ଏ.): ଗଜପତି ଜିଲା ଗୁମ୍ମା ବ୍ଲକ କଳାକୋଟରେ ଶନିବାର ରାତି ତମାମ ଲଗାଣ ବର୍ଷା ଯୋଗୁ ଗୁମା ବ୍ଳକର କିଛି ପାହାଡିଆ ଅଞ୍ଚଳରେ ଭୁସ୍ଖଳନ ହୋଇଥିବା ଦେଖିବାକୁ ମିଳିଛି। ଏଥିଯୋଗୁ ବିଳମ୍ବିତ ରାତିରେ କଳକୋଟ ପଞ୍ଚାୟତର ଜାଙ୍ଗିରତୁଲ କୁଲଙ୍ଗ ଗ୍ରାମ ପାହାଡରୁ ଝରଣା ପାଣି ଖୁବ ଜୋରରେ ମାଡି ଆସିଥିଲା। ଫଳରେ ଗାଁରେ ପାଣି ପଶି ରାସ୍ତା ଧୋଇଯିବା ସହ ମାଟି ଅତଡ଼ା ଧସି ଗୋଟିଏ ଘର ଏବଂ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି। ବର୍ତ୍ତମାନ ସୁଦ୍ଧା ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ତେବେ କିଛି ଦିନ ପୂର୍ବରୁ ନୂଆଗଡ ବ୍ଲକରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା।