ଭାଷା-ସାହିତ୍ୟ ଓ ଜାତିର ଭବିଷ୍ୟତ

ଉପେନ୍ଦ୍ର ବିଶ୍ୱାଳ

 

‘ଧିକ ତା’ ଜୀବନ ଯିଏ ଓଡ଼ିଆ ହୋଇ, କିଣେ ନାହିଁ ଖଣ୍ଡେ ଓଡ଼ିଆ ବହି।’ ଏ କଥା କିଏ କହିଥିଲେ ଜଣାନାହିଁ କିନ୍ତୁ ଜାତିପ୍ରାଣ ଏହି ବିଭୁତି ଜଣଙ୍କ ଓଡ଼ିଆ ଜାତିର ଚିର ନମସ୍ୟ ନିଶ୍ଚିତ। ସଭିଙ୍କୁ ଜଣା, ”ଭାଷା ହିଁ ମାଆର ମାନ, ଭାଷା ହିଁ ଜାତିର ପ୍ରାଣ। ଜାତିର ଟେକ ଓ ଭେକ ହେଉଛି ମାତୃଭାଷା।“ ଏହି କଥାକୁ ଜାଣି ମଧ୍ୟ ଓଡ଼ିଶା ଭୂଇଁରେ ଜନ୍ମନେଇ ମାତୃଭାଷାକୁ ଭଲ ନ ପାଇବା, ଓଡ଼ିଆ ବହି ଖଣ୍ଡେ କିଣି ନ ପଢ଼ିବା, ଏପରି କି ଓଡ଼ିଆ ଖବରକାଗଜ ଖଣ୍ଡେ ନ କିଣିବା, ଆମ ଜାତିପ୍ରେମର ପରିଚାୟକ କି? ମାତ୍ର ଅଭାବୀ ଦୁନିଆର ଏଭଳି କିଛି ଲୋକ ଅଛନ୍ତି, ଯେଉଁମାନଙ୍କ ଚିନ୍ତା-ଚେତନା, ବିଚାର-ଭାବନା ଆମଠାରୁ ବହୁ ଊଦ୍ଧର୍‌ବରେ; ଯାହା କି ଏ ଜାତି ପାଇଁ ଅନେକ ଆଶ୍ୱାସନାର ବିଷୟ। ଯେଉଁଠି ଓଡ଼ିଆ ଆଇଏଏସ୍‌, ଆଇପିଏସ୍‌, ଓଏଏସ୍‌, ଅଧ୍ୟାପକମାନଙ୍କ ପରି ଲକ୍ଷାଧିକ ଟଙ୍କାର ବେତନଭୋଗୀମାନେ ଖଣ୍ଡେ ଓଡ଼ିଆ ଖବରକାଗଜ ବି କିଣି ପଢିବାକୁ ନାରାଜ, ସେଇଠି ଆଜି ଦାରିଦ୍ର୍ୟ ପ୍ରପୀଡ଼ିତ ଓ ନାମମାତ୍ର ଶିକ୍ଷା ଗ୍ରହଣ କରିଥିବା ପଠନପ୍ରିୟ,ମାତୃଭାଷାପ୍ରେମୀ ମଣିଷଙ୍କ କଥା ଶୁଣିଲେ ସ୍ବତଃ ନଇଁଯାଏ ମଥା।
କନ୍ଧମାଳ ଜିଲା ଜି. ଉଦୟଗିରି ବ୍ଲକସ୍ଥ କଳିଙ୍ଗିଆ ଗ୍ରାମର ବିକ୍ରମ ନାୟକ ହେଉଛନ୍ତି ବୃତ୍ତିରେ ଜଣେ ଦରଜୀ। ମାତ୍ର ୮ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ା। ବହୁକୁଟୁମ୍ବୀ ଅଭାବୀ ପରିବାରରେ ବଡ଼ ପୁଅଟି ମୂଲ ଲାଗେ। ତଥାପି ଖବରକାଗଜ ଖଣ୍ଡେ ମଗାନ୍ତି ଓ ସମ୍ପାଦକୀୟ ପୃଷ୍ଠାରେ ପ୍ରକାଶିତ ଲେଖାକୁ ପଢ଼ି ଲେଖକ/ଲେଖିକାଙ୍କୁ ଉତ୍ସାହିତ କରିଥାନ୍ତି। ଅନ୍ୟାୟ, ଅନୀତି, ଦୁର୍ନୀତି ଆଦି ଘଟଣା ତାଙ୍କ ହୃଦୟକୁ ଖୁବ୍‌ ବିଦୀର୍ଣ୍ଣ କରେ। ଏ ସମ୍ପର୍କିତ ଲେଖା ଯେବେ ପଢ଼ନ୍ତି, ନିଜକୁ ନିୟନ୍ତ୍ରଣ କରି ନ ପାରି ଭୋ ଭୋ ହୋଇ ସେ କାନ୍ଦିପକାନ୍ତି। ସାଲେପୁରର ଦୟାନିଧି ଭୋଇ ଜଣେ କୃଷି ଶ୍ରମିକ। ପର ବିଲରେ ମୂଲ ଲାଗିଲେ ପେଟ ପୋଷିବା ହୁଏ। ଅର୍ଥାଭାବରୁ ସିନା କାଗଜ ଖଣ୍ଡେ କିଣି ପାରନ୍ତି ନାହିଁ। କିନ୍ତୁ ମାଲିକଙ୍କ ଘରୁ ସାରେ କାଗଜ ଆଣି ନ ପଢ଼ିଲେ, ରାତିରେ ତାଙ୍କୁ ନିଦ ହୁଏନାହିଁ। ଭଦ୍ରକ ଜିଲା ଭଣ୍ଡାରିପୋଖରୀସ୍ଥ ନପଙ୍ଗ ଗାଁର ଧନେଶ୍ୱର ନାୟକ। ମଟ୍ରିକ ଯାଏ ପଢ଼ା। ନିଜର କେଇଗୁଣ୍ଠ ଚାଷଜମି ସମେତ ଅନ୍ୟମାନଙ୍କ ଜମି ଚାଷକରି ବହୁକଷ୍ଟରେ ପରିବାର ପୋଷିଥା’ନ୍ତି। କିନ୍ତୁ ସେ ଦିନକୁ ୩/୪ଖଣ୍ଡ କାଗଜ ପଢ଼ିବେ ହିଁ ପଢ଼ିବେ। ଘରକୁ ଖଣ୍ଡିଏ କାଗଜ ମଗାଉଥିଲେ ବି ପାଖ ବଜାରକୁ ଯାଆନ୍ତି ଅନ୍ୟ କାଗଜ ପଢ଼ିବାକୁ। ଅଭାବ ଓ ଅନଟନ ଭିତରେ ରହି ମଧ୍ୟ ପୁସ୍ତକ, ପତ୍ରପତ୍ରିକା କିଣିବାକୁ ସେ ପଛାନ୍ତି ନାହିଁ। ଓଡ଼ିଶାର ସେ ଜଣେ ବିରଳ ପାଠକ, ଯିଏ କି ୫୦ବର୍ଷ ହେଲା ପଢୁଛନ୍ତି ଖବରକାଗଜ, ଓଡ଼ିଆ ପୁସ୍ତକ ଓ ପତ୍ରପତ୍ରିକା ଆଦି। ଘରେ ବି ସଂରକ୍ଷିତ ଅନେକ ପତ୍ରପତ୍ରିକା, ପୁସ୍ତକମାନ; ଯାହା କି ଏକପ୍ରକାର ଛୋଟ ଲାଇବ୍ରେରି।
ଲେଖକ ବା ବକ୍ତାଟିଏ ହେବାକୁ ଯେମିତି ସାଧନା ଓ ଯୋଗ୍ୟତା ଲୋଡ଼ା, ସେମିତି ବି ଯୋଗ୍ୟତା ଲୋଡ଼ା ଶ୍ରୋତା ଅବା ପାଠକଟିଏ ହେବାକୁ। ସେଥିପାଇଁ ଧୈର୍ଯ୍ୟ ଓ ଆଗ୍ରହ ଦରକାର। ଧୈର୍ଯ୍ୟ ଧରିବା ବି ହେଉଛି ଏକପ୍ରକାର ସାଧନା। ପୁଣି ଗୁଣଗ୍ରାହୀ ପାଠକଟିଏ ହେବା ବି କାଠିକର ପାଠ। ସେଥିପାଇଁ ଲୋଡ଼ା ଯୋଗ୍ୟତା। ଶିକ୍ଷାଗତ ଯୋଗ୍ୟତା ଯେତେ ନୁହେଁ, ତାହାଠାରୁ ବେଶି ଲୋଡ଼ା ରୁଚିବୋଧ, ନିଷ୍ଠା, ଜିଜ୍ଞାସା ମନୋଭାବ। ବିଦ୍ୱାନ ହେବା ଯେତିକି ଆବଶ୍ୟକ, ତତୋଧିକ ଆବଶ୍ୟକ ଜଣେ ବିବେକଯୁକ୍ତ ବା ବିଶାଳହୃଦୟର ମଣିଷ ହେବା। ଏହା ସେତେବେଳେ ସମ୍ଭବ ହୁଏ ଯେବେ ଚେତନାର ବିକାଶ ଘଟେ, ପଢ଼ିବା-ଜାଣିବା-ବୁଝିବା ଦ୍ୱାରା। ଚିନ୍ତା ଓ ଚେତନା, ଭାଷା ଓ ଭୂମିପ୍ରତି ପ୍ରୀତିଭାବ ଦୃଷ୍ଟିରୁ ସମାଜର ତଳ ଶ୍ରେଣୀରେ ଥିବା ଉପରୋକ୍ତ ବ୍ୟକ୍ତିଙ୍କ ସହିତ ଆମ୍ଭେ ଆଗଧାଡ଼ି ବାବୁମାନେ ଯେବେ ନିଜକୁ ତୁଳନା କରୁ, ସେତେବେଳେ ଖୁବ୍‌ ଲଜ୍ଜିତ ହେବାକୁ ପଡ଼େ। ଆଜି ଯେଉଁଠି ପ୍ରାୟ ୭୫/୮୦ ଭାଗ ଓଡ଼ିଆ ଆଇଏଏସ୍‌/ ଆଇପିଏସ୍‌, ୬୦ ଭାଗ ଓଏଏସ୍‌, ୫୦ ଭାଗରୁ ଊର୍ଦ୍ଧ୍ୱ ଅଧ୍ୟାପକମାନେ ଓଡ଼ିଆ ଖବରକାଗଜ କି ଓଡ଼ିଆ ପତ୍ରପତ୍ରିକା ପଢ଼ନ୍ତି ନାହିଁ, ସେଇଠି ସ୍ବଳ୍ପ ଶିକ୍ଷିତ ଏପରି ଦରିଦ୍ରଜନଙ୍କ ଓଡ଼ିଆଭାବ ଓ ଜାତୀୟ ଚେତନା ଆମ ସଭିଙ୍କ ପାଇଁ ଅଜସ୍ର ପ୍ରେରଣାର ଉତ୍ସ ନୁହେଁ କି?
ଲୋକମୁଖରେ ବୋଲା ଯାଉଥିବା ବହୁ ପ୍ରଚଳିତ ପ୍ରବାଦଟିଏ -‘ଚାଷୀ ହୁଡ଼ିଲେ ବରଷେ, ଭାଷା ହୁଡ଼ିଲେ ପୁରୁଷେ।’ ଅର୍ଥାତ୍‌ ଚାଷକାମରେ ଜଣେ ବିଫଳ ହେଲେ ବା ଚାଷପ୍ରତି ବିମୁଖ ହେଲେ, ଚାଷୀକୁ ବର୍ଷଟିଏ ଦୁର୍ଦ୍ଦଶା ଭୋଗିବାକୁ ପଡ଼ିଥାଏ, ମାତ୍ର ଭାଷା ବିମୁଖତା ବା ଅବହେଳା ପାଇଁ ଗୋଟେ ପୁରୁଷ ପର୍ଯ୍ୟନ୍ତ ଦୁର୍ଦ୍ଦିନକୁ ସାମ୍ମା କରିଥାଏ ଜାତି। ପୁସ୍ତକ, ପତ୍ରପତ୍ରିକା, ଖବରକାଗଜ ଆଦି ହେଉଛି ଭାଷାର କବାଟ। ଭାଷା ପ୍ରତି ଯେତେ ଅନୁରାଗ ବଢ଼ିବ, ଭାଷାର ବ୍ୟବହାର ସେତେ ବଢ଼ିବ। ଭାଷାର ବ୍ୟବହାର ଯେତେ ବ୍ୟାପକ ହେବ, ଭାଷା ସେତେ ବିକଶିତ ହେବ। ଭାଷା ଯେତେ ଉଦ୍ଭାସିତ ହେବ, ସାହିତ୍ୟ-ସଂସ୍କୃତି ସେତେ ଐଶ୍ୱର୍ଯ୍ୟମୟ ହେବ। ସାହିତ୍ୟ-ସଂସ୍କୃତି ସମୃଦ୍ଧ ହେଲେ, ଭୂମିର ଭାଗ୍ୟ ଓ ଭବିଷ୍ୟତ ଐଶ୍ୱର୍ଯ୍ୟମୟ ହେବ। ସଂସ୍କୃତି ଯେମିତି ମାଟିର ସୁରଭି, ମାତୃଭାଷା ବି ସେମିତି ଭୂମିର ବିଭବ। ଭାଷା ଓ ସଂସ୍କୃତି କେବଳ ଗୋଟେ ଜାତିର ପରିଚୟ ଫର୍ଦ୍ଦ ନୁହେଁ ବରଂ ପ୍ରଗତିର ପରିମାପକ। ଜାତିକୁ ଗଢ଼ିବାକୁ ହେଲେ ମାଆ, ମାଟି ଓ ମାତୃଭାଷା ପ୍ରତି ମମତ୍ୱଭାବ ଏକାନ୍ତ ଜରୁରୀ। ଯେଉଁ ମାଟିର ମଣିଷଙ୍କ ଭିତରେ ପଠନପ୍ରତି ରୁଚି ଯେତେ ଅଧିକ, ସେ ଜାତି ସେତିକି ସମୃଦ୍ଧ ଓ ମହିମାନ୍ବିତ। ଫିନ୍‌ଲାଣ୍ଡ, ଇସ୍ରାଏଲ, ନେଦରଲାଣ୍ଡ ପରି କ୍ଷୁଦ୍ରାତିକ୍ଷୁଦ୍ର ଦେଶଗୁଡ଼ିକ ଶାନ୍ତ, ସମୃଦ୍ଧ, ସଫଳ ଓ ସମର୍ଥ ଦେଶ ଭାବେ ବିଶ୍ୱବିଦିତ; ସେ ମାଟିର ସନ୍ତାନଗଣଙ୍କ ସଂସ୍କାର ମନୋଭାବ ଓ ମାଟିମନସ୍କ ପଣିଆ ଯୋଗୁ। ମାଟିମନସ୍କ ପଣିଆ ସମ୍ଭବ ହୋଇଛି ସେମାନଙ୍କ ଅଧ୍ୟୟନ ପିପାସା ଓ ସାହିତ୍ୟମନସ୍କ ପଣିଆ ଯୋଗୁ। ସାହିତ୍ୟ ଓ ସଂସ୍କୃତି ହିଁ ଜାତିକୁ ବାନ୍ଧି ରଖେ, ମାଟିକୁ ମହିମାନ୍ବିତ କରେ। ନିଜ ଭାଷା, ସାହିତ୍ୟ ଓ ସଂସ୍କୃତିଠାରୁ ଦୂରେଇ ରହିବା ଅର୍ଥ ଅମଙ୍ଗଳକୁ ଆମନ୍ତ୍ରଣ କରିବା। ଯେଉଁ ସମାଜ ନିଜ ଭାଷା, ନିଜ ସଂସ୍କୃତି, ନିଜ ଇତିହାସଠାରୁ ଦୂରେଇ ଯାଏ ବା ବିଚ୍ଛିନ୍ନ ହୁଏ, ସେ ସମାଜର ଭୂଗୋଳ ବଦଳିବାକୁ ବେଶି ସମୟ ଲାଗେନାହିଁ। ଜାତିର ଅସ୍ମିତା ପ୍ରତି ବିପଦ ଘନେଇ ଆସେ। ମାତୃଭୂମି ଓ ମାତୃଭାଷା ପ୍ରତି ପ୍ରୀତିଭାବ ନ ରହିଲେ ଜାତିର ନନ୍ଦିଘୋଷ ବିଶେଷ ଅଗ୍ରଗତି କରିପାରେନା। ଆମ ଚିନ୍ତା, ଚେତନା, ଚରିତ୍ର ହିଁ ଲେଖିବ ଏ ଜାତିର ଜାତକ। ନିର୍ଦ୍ଧାରଣ କରିବ ଭୂମିର ଭାଗ୍ୟ ଓ ଭବିଷ୍ୟତ। ଅତଏବ ଆସନ୍ତୁ, ଭାଷା-ସାହିତି୍ୟକୁ ବିଭୂଷିତ କରିବାକୁ ସମସ୍ତେ ସଂକଳ୍ପବଦ୍ଧ ହେବା ଏବଂ ଜାତିକୁ ଜାଜ୍ୱଲ୍ୟମୟ କରିବା। ପ୍ରତିଟି ଓଡ଼ିଆପ୍ରାଣରୁ ଗୁଞ୍ଜରିତ ହେଉ, ‘ମାତୃଭୂମି ମାତୃଭାଷାର ବଦନ, ବ୍ୟାପ୍ତ କର ଦେଇ ଧନ ଧ୍ୟାନ ମନ“।
ଗୋଡିଶୁଳ, ସଜନାଗଡ଼, ବାଲେଶ୍ୱର
ମୋ: ୯୪୩୭୪୩୬୦୭୩


Enter your email to get our daily news in your inbox.

All Right Reserved By Dharitri.Com

ଅବୁଝା ସମବାୟ ଆଇନ

୧୯୯୦ରୁ ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଚୌଧୁରୀ ବ୍ରହ୍ମପ୍ରକାଶ କମିଟି, ଜଗଦୀଶ କପୁର କମିଟି, ଭି.କେ. ପାଟିଲ୍‌ କମିଟି, ଭି.ଏସ୍‌. ବ୍ୟାସ କମିଟି...

ଖାଦ୍ୟ ନଷ୍ଟ ଏକ ଅପରାଧ

ବିଶ୍ୱ କ୍ଷୁଧା ସୂଚକାଙ୍କରେ (ଜିଏଚ୍‌ଆଇ) ୨୦୨୪ରେ ସ୍ଥାନ ପାଇଥିବା ୧୨୭ ଦେଶ ମଧ୍ୟରୁ ଭାରତର ସ୍ଥାନ ୧୦୫ରେ ରହିଛି। ଅର୍ଥାତ କ୍ଷୁଧା ଦୂର କରିବାରେ ୧୦୪ଟି...

ଅନିଶ୍ଚୟତାରେ ଅଧିକାରୀ

ନିକଟରେ ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନା ମଧ୍ୟରେ କ୍ୟାଡର୍‌ ପୁନଃ ଆବଣ୍ଟନକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ଜାରି କରିଥିବା ନିର୍ଦ୍ଦେଶନାମାକୁ ନେଇ ଆଇଏଏସ୍‌ ଏବଂ ଆଇପିଏସ୍‌...

କୃତ୍ରିମ ପୁଷ୍ଟିସାର ସଂଶ୍ଳେଷଣ ପାଇଁ ନୋବେଲ୍‌

ବର୍ଷ ରସାୟନ ବିଜ୍ଞାନରେ ନୋବେଲ୍‌ ପୁରସ୍କାର ଲାଭ କରିଥିବା ଡେଭିଡ୍‌ ବେକର, ଯୁକ୍ତରାଷ୍ଟ୍ର ଆମେରିକାର ବର୍କଲେସ୍ଥିତ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଭାବେ କାର୍ଯ୍ୟରତ ଥିବାବେଳେ, ଇଂରେଜ...

ଭୟ

ସଂସାରରେ ବୋଧହୁଏ ଏମିତି କେହି ନାହିଁ, ଯିଏ ସମ୍ପୂର୍ଣ୍ଣ ରୂପେ ଭୟଶୂନ୍ୟ ହୋଇ ଜୀବନ ଧାରଣ କରେ। କେହି ହୁଏତ ନିଜକୁ ଭୟଶୂନ୍ୟ ବୋଲି ଦାବି...

ଜଳ ବଜାରରେ ପକ୍ଷପାତିତା

ନିକଟରେ ଗ୍ଲୋବାଲ କମିଶନ ଅନ୍‌ ଇକୋନୋମିକ୍ସ ଅଫ୍‌ ଓ୍ବାଟରର ଏକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଓ୍ବାଟର ମାର୍କେଟ ବା ଜଳ ବଜାର(ସ୍ଥାୟୀ କିମ୍ବା...

ଏଇ ଭାରତରେ

ମୌସୁମୀ କାପାଡ଼ିଆଙ୍କ ସାହସିକ ଯାତ୍ରା ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣାଦାୟୀ କାହାଣୀ। ରିଜିଡ୍‌ ସ୍ପାଇନ ମସ୍କୁଲାର ଡିସ୍‌ଟ୍ରୋଫି( ଆର୍‌ଏସ୍‌ଏମ୍‌ଡି) ରୋଗରେ ପୀଡ଼ିତ ତାଙ୍କ ବଡ଼ ପୁଅ...

ଦରିଦ୍ରଙ୍କୁ ଦୁରାଚାରରୁ ମୁକ୍ତି

ବୃହସ୍ପତି ସାମଲ ଶନାଲ କ୍ରାଇମ୍‌ ରେକଡର୍‌ସ ବ୍ୟୁରୋର ୨୦୨୧ ତଥ୍ୟାନୁଯାୟୀ ଭାରତରେ ଘଟୁଥିବା ମୋଟ ଅପରାଧରୁ ୨୮% ଦାରିଦ୍ର୍ୟ ସହ ଜଡ଼ିତ। ୟୁନାଇଟେଡ୍‌ ନେସନ୍ସ ଅଫିସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri