Categories: ବାଣିଜ୍ୟ

‘ଭାଷା ବ୍ୟବହାରରେ ଲିପିର ଆବଶ୍ୟକତା ନ ଥାଏ’

ଭୁବନେଶ୍ୱର,୨୭।୧୧: ସେଞ୍ଚୁରିଆନ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ (ସିୟୁଟିଏମ୍‌) ବା ସେଞ୍ଚୁରିଅନ୍‌ ବିଶ୍ୱବିଦ୍ୟାଳୟ ଓଡ଼ିଶା ଓ ଲିଙ୍ଗୁଇଷ୍ଟିକ୍‌ ସୋସାଇଟି ଅଫ୍‌ ଇଣ୍ଡିଆର ମିଳିତ ସହଯୋଗରେ ୪୪ତମ ଅନ୍ତର୍ଜାତୀୟ ଲିଙ୍ଗୁଇଷ୍ଟିକ ସୋସାଇଟି ଅଫ୍‌ ଇଣ୍ଡିଆ (ଆଇସିଓଏଲ୍‌ଏସ୍‌ଆଇ-୪୪) ସମ୍ମିଳନୀ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଛନ୍ତି। ଏପରିକି ସେଞ୍ଚୁରିଅନ୍‌ ବିଶ୍ୱବିଦ୍ୟାଳୟର ଜଟଣୀ କ୍ୟାମ୍ପସ ପରିସରରେ ଆୟୋଜିତ ୩ ଦିନିଆ ଉକ୍ତ ସମ୍ମିଳନୀକୁ ଉଦ୍‌ଘାଟନ କରି ରାଜ୍ୟପାଳ କହିଥିଲେ, ଭାଷାର କୌଣସି ସ୍ତର ନାହିଁ। ଏପରିକି ଭାଷାର ପରିବ୍ୟାପ୍ତି ବିଷୟରେ ସେ ବିସ୍ତୃତ ଭାବେ ବୁଝାଇ କହିଥିଲେ ଯେ ଭାଷା ବ୍ୟବହାର ପାଇଁ ଲିପି ହୁଏତ ଏକ ମାଧ୍ୟମ ହୋଇପାରେ ହେଲେ ମନର ଭାଷା, ମସ୍ତିଷ୍କର ଭାଷା ଓ ଇସାରାର ଭାଷା ଆଦି ବ୍ୟବହାରରେ ଲିପିର ଆବଶ୍ୟକତା ନ ଥାଏ। ବିଶେଷକରି ଭାଷା କିଭଳି, କେମିତିକା, କାହିଁକି, କେଉଁଠାରେ କୁହାଯାଉଛି ତାହା ହିଁ ବଡ଼କଥା। ସେହିଭଳି ରାଜ୍ୟପାଳ ସଂସ୍କୃତ, କୋରିଆ, ହିବ ଭାଷାର ଉଦାହରଣ ଦେଇ ମାତୃଭାଷାର ମହତ୍ତ୍ୱ କଥା କହିଥିଲେ। ଭାଷା ଯୋଡ଼େ, ଭାଷା ଗଢ଼େ ବୋଲି ମତ ଦେଇ ଗଣେଶୀ ଲାଲ ଉକ୍ତ ଅନ୍ତର୍ଜାତୀୟ ସମ୍ମିଳନୀର ସଫଳତା କାମନା କରିଛନ୍ତି। ସେହିପରି ଆଇସିଓଏଲ୍‌ଏସ୍‌ଆଇ-୪୪ ଅଧ୍ୟକ୍ଷ ଏବଂ ସେଞ୍ଚୁରିଅନ୍‌ ବିଶ୍ୱବିଦ୍ୟାଳୟ ଆନ୍ଧ୍ରପ୍ରଦେଶର କୁଳପତି ପ୍ରଫେସର ଦେବୀପ୍ରସନ୍ନ ପଟ୍ଟନାୟକ, ସେଞ୍ଚୁରିଅନ୍‌ ବିଶ୍ୱବିଦ୍ୟାଳୟ ଓଡ଼ିଶାର କୁଳପତି ପ୍ରଫେସର ସୁପ୍ରିୟା ପଟ୍ଟନାୟକ, ଲିଙ୍ଗୁଇଷ୍ଟିକ୍‌ ସୋସାଇଟି ଅଫ୍‌ ଇଣ୍ଡିଆର ସଭାପତି ପ୍ରଫେସର ଜି. ଉମା ମହେଶ୍ୱର ରାଓ, ପୂର୍ବତନ ଭି.ସି. ବିପିୟୁଟି ଏବଂ ନିର୍ଦ୍ଦେଶକ ଟେକ୍ନୋଲୋଜି ଏବଂ ଏକାଡେମିକ୍‌ ଇନିସିଏଟିଭ୍‌, ଆର୍‌ଏସ୍‌ବି ମେଟାଲଟେକ୍‌, ଆର୍‌ଏସ୍‌ବି ଗ୍ରୁପ୍‌, ପୁଣେ, ପ୍ରଫେସର ଓମ୍‌କାର ନାଥ ମହାନ୍ତି ପ୍ରମୁଖ ଯୋଗଦେଇ ନିଜ ନିଜର ମତ ପ୍ରକାଶ କରିଥିଲେ।

Share