ଆଇପିଏଲ୍‌ ଲାଗି ଘୁଞ୍ଚିଲା ଏହି ଦେଶର ଟି୨୦ ଲିଗ୍‌

କଲମ୍ବୋ, ୩୦।୯: ଶ୍ରୀଲଙ୍କା କ୍ରିକେଟ୍‌ (ଏସ୍‌ଏଲ୍‌ସି) ପକ୍ଷରୁ ଲଙ୍କା ପ୍ରିମିୟର ଲିଗ୍‌ (ଏଲ୍‌ପିଏଲ୍‌) ଟି୨୦ ଟୁର୍ନାମେଣ୍ଟର କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। ଏହି ଟୁର୍ନାମେଣ୍ଟ ଏବେ ୨୧ ନଭେମ୍ବରରୁ ଆରମ୍ଭ ହେବ। ଏଥିରେ ଅଂଶଗ୍ରହଣ କରିବାକୁ ଥିବା ଖେଳାଳିଙ୍କ ନିକଟରେ କ୍ୱାରାଣ୍ଟାଇନରେ ରହିବାକୁ ସମୟ ମିଳିବା ଲକ୍ଷ୍ୟରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏଲ୍‌ପିଏଲ୍‌ ପ୍ରଥମେ ୧୪ ନଭେମ୍ବରରୁ ଆରମ୍ଭ ହେବାର ଥିଲା। କିନ୍ତୁ ଆଇପିଏଲ୍‌ରେ ଖେଳୁଥିବା ଖେଳାଳିଙ୍କୁ ଏଲ୍‌ପିଏଲ୍‌ରେ ଖେଳିବା ଲାଗି ସୁଯୋଗ ଦେବା ପାଇଁ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଥିବା ଜଣାପଡ଼ିଛି। ଏଲ୍‌ପିଏଲ୍‌ ଟୁର୍ନାମେଣ୍ଟର ନିର୍ଦ୍ଦେଶକ ରବିନ୍‌ ବିକ୍ରମରସ୍ତେ କହିଛନ୍ତି, ‘ଆଇପିଏଲ୍‌ ୧୦ ନଭେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେଥିଲାଗି ଆମେ ଚିନ୍ତା କଲୁ ଯେ ଆଇପିଏଲ୍‌ରେ ଅଂଶଗ୍ରହଣ କରିଥିବା ସେହି ଖେଳାଳିଙ୍କ ଲାଗି କିଛି ସମୟ ରଖାଯାଉ, ଯେଉଁମାନେ ଏଲ୍‌ପିଏଲ୍‌ରେ ଖେଳିବା ଲାଗି ଚାହୁଁଛନ୍ତି।’ ଏଠାରେ ପ୍ରକାଶଯୋଗ୍ୟ, ଗୁରୁବାର ଏଲ୍‌ପିଏଲ୍‌ ଲାଗି ଖେଳାଳି ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବାର ଥିଲା। କିନ୍ତୁ ଏହାକୁ ଏବେ ୯ ଅକ୍ଟୋବରକୁ ବଢ଼ାଇ ଦିଆଯାଇଛି। ଏହି ଟୁର୍ନାମେଣ୍ଟରେ ୫ ଫ୍ରାଞ୍ଚାଇଜ୍‌ ଅଂଶଗ୍ରହଣ କରିବେ। ପ୍ରତି ଫ୍ରାଞ୍ଚାଇଜରେ ୧୯ ଖେଳାଳି ରହିବେ। ଯେଉଁଥିରେ ୧୩ ଶ୍ରୀଲଙ୍କା ଏବଂ ୬ ବିଦେଶ ଖେଳାଳି ରହିବାର ନିୟମ ରହିଛି।

Share