ପୋଲ ମଝିରେ ବଡ଼ ଖାଲ: ଯାତାୟାତ ବାଧାପ୍ରାପ୍ତ

ଦାରିଙ୍ଗବାଡି, ୧୫।୭ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦନେକବାଡିରୁ ସିର୍କାବର୍ଗକୁ ସଂଯୋଗ କରୁଥିବା ଜାଞ୍ଜିକୁଟି ପୋଲ ମଝିରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ଏଥିସହ ପୋଲର ତଳ ଭାଗରେ ପଥର ଓ କଂକ୍ରିଟ ଭୁଶୁଡି ପଡିଛି। କେଉଁ ମୁହୂର୍ତ୍ତରେ ପୋଲଟି ସମ୍ପୂର୍ଣ୍ଣ ଭୁଶୁଡିଯାଇପାରେ ବୋଲି ଅଞ୍ଚଳବାସୀ ଆଶଙ୍କା ପ୍ରକଟ କରିଛନ୍ତି। ଫଳରେ ଯାତାୟତରେ ବାଧା ସୃଷ୍ଟି ହେବା ସହ ସେହି ରାସ୍ତା ଦେଇ ଚାରିଚକିଆ ଯାନ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଲୋକ ସେହି ରାସ୍ତା ଦେଇ ଏବେ ଯାତାୟତ କରିବାକୁ ସୁରକ୍ଷା ମଣୁ ନ ଥିବା ସିର୍କାବର୍ଗ ପଞ୍ଚାୟତ ବଡାଙ୍ଗିଆ ଗ୍ରାମର କୈଳାଶ ଚନ୍ଦ୍ର ବଳିୟାର ସିଂ କହିଛନ୍ତି।
ପ୍ରକାଶ ଯେ, ଦାରିଙ୍ଗବାଡିଠାରୁ ସିର୍କାବର୍ଗ ପଞ୍ଚାୟତ ଦେଇ କୋଟଗଡ଼ ବ୍ଲକ ସମେତ ରାୟଗଡା ଜିଲାକୁ ସଂଯୋଗ କରିଥିବା ଉକ୍ତ ରାସ୍ତା ଉପରେ ଦୈନିକ ଶହ ଶହ ଲୋକ ନିର୍ଭର କରୁଛନ୍ତି। ତେବେ ଅଞ୍ଚଳରେ ସାମାନ୍ୟ ବର୍ଷା ହୋଇଥିବା ବେଳେ କିଭଳି ଉକ୍ତ ପୋଲରେ ଗର୍ତ୍ତ ସୃଷ୍ଟି ହେଲା ଏବଂ ବର୍ଷା ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ବିଭାଗର କିଭଳି ଉକ୍ତ ବିପଦପୂର୍ଣ୍ଣ ପୋଲ ଉପରେ ନଜର ପଡିଲାନି ସେନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯାଇଛି।