ଭୁବନେଶ୍ୱର,୧୫ା୫(ବ୍ୟୁରୋ): ଦିଲ୍ଲୀ ଅଗ୍ନିକାଣ୍ଡରେ ୨୭ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏହି ଘଟଣା ପରେ ଓଡ଼ିଶା ସରକାରଙ୍କ ଚେତା ପଶିଛି । ଓଡ଼ିଶା ଅଗ୍ନି ନିରୋଧକ ଏବଂ ଅଗ୍ନି ନିରାପତ୍ତା ରୁଲ୍ସ-୨୦୧୭କୁ କଡ଼ାକଡ଼ି ପାଳନ କରିବାକୁ ଅଗ୍ନିଶମ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅଗ୍ନିଶମ ମହାନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ ସମସ୍ତ ଜିଲାର ସହକାରୀ ଅଗ୍ନିଶମ ଅଧିକାରୀ, ସବୁ ସର୍କଲର ଡେପୁଟି ଅଗ୍ନିଶମ ଅଧିକାରୀ ଓ ରାଜ୍ୟର ରେଞ୍ଜ ଫାୟାର ଅଫିସରଙ୍କୁ ଶନିବାର ଏ ନେଇ ଚିଠି ଲେଖିଛନ୍ତି। ହୋଟେଲ, ଲଜ୍, ଗେଷ୍ଟ ହାଉସ, ଶିକ୍ଷାନୁଷ୍ଠାନ, ସିନେମା ହଲ୍, ମଲ୍ଟିପ୍ଲେକ୍ସ, ସ୍ବାସ୍ଥ୍ୟସେବା ପ୍ରତିଷ୍ଠାନ, ଅଫିସ୍ ବିଲ୍ଡିଂ, ବିଜ୍ନେସ ଅଫିସ, ଅଡିଟୋରିୟମ, କୋଚିଂ ସେଣ୍ଟର, କନ୍ଭେନଶନ ହଲ୍, ହଷ୍ଟେଲ, କଳକାରଖାନା, ଶିଳ୍ପାନୁଷ୍ଠାନ ଆଦିରେ ଅଗ୍ନିଶମ ନିରାପତ୍ତା ଅଡିଟ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ପ୍ରତିଷ୍ଠାନରେ ଅଗ୍ନି ନିରାପତ୍ତା ସଂକ୍ରାନ୍ତ ପ୍ରମାଣପତ୍ର ଯେପରି ଲାଗିବ ସେଥିଲାଗି ପଦକ୍ଷେପ ନେବାକୁ ସମସ୍ତ କ୍ଷେତ୍ରୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ରହିଛି। ବିଭିନ୍ନ ପ୍ରତିଷ୍ଠାନରେ ଯାଞ୍ଚ କରିବା ଲାଗି ସମସ୍ତ ଅଗ୍ନିଶମ ଅଧିକାରୀ ତଥା ସହକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅଗ୍ନି ନିରାପତ୍ତା ନେଇ ବିଭିନ୍ନ ମାର୍କେଟ କମିଟିର ସହଭାଗିତାରେ ପଦକ୍ଷେପ ନେବା ଲାଗି କୁହାଯାଇଛି । ଜିଲା ମୁଖ୍ୟାଳୟ ଡାକ୍ତରଖାନା, ଜିଲାପାଳଙ୍କ ଅଫିସ୍ ଏବଂ ବହୁତଳ ଅଟ୍ଟାଳିକାଗୁଡ଼ିକରେ ଆସନ୍ତା ୨୧ ତାରିଖ ସୁଦ୍ଧା ଅଗ୍ନି ନିରାପତ୍ତା ଯାଞ୍ଚ ଶେଷ କରିବାକୁ ଡିଜି ନିର୍ଦ୍ଦେଶ ଦେଇଛନ୍ତି। ଜନଗହଳିପୂର୍ଣ୍ଣ ହାଟ ବଜାରଗୁଡ଼ିକରେ ଅଗ୍ନି ନିରାପତ୍ତା ପାଇଁ ବିଭିନ୍ନ ବଜାର କମିଟି ସହିତ ସହଯୋଗ କରିବାକୁ ସମସ୍ତ ଅଗ୍ନିଶମ ଷ୍ଟେଶନ ଅଧିକାରୀମାନଙ୍କୁ କୁହାଯାଇଛି। ଏଥିସହିତ ହାଟଗୁଡ଼ିକରେ ବସୁଥିବା ଦୋକାନୀମାନେ ଖୋଲା ବିଦ୍ୟୁତ୍ ତାର ବ୍ୟବହାର ନ କରିବାକୁ କୁହାଯାଇଛି। ସେଗୁଡ଼ିକ ଅତ୍ୟଧିକ ଲୋଡ୍ ସମ୍ଭାଳି ନ ପାରି ଶର୍ଟସର୍କିଟ ହେବାର ସମ୍ଭାବନା ରହିଛି। ବିଭିନ୍ନ ପ୍ରତିଷ୍ଠାନରେ ଥିବା ସୁପରଭାଇଜର ଅଗ୍ନି ନିରାପତ୍ତା ସୁରକ୍ଷା ନିଶ୍ଚିତ କରିବାକୁ ଅଗ୍ନିଶମ କେନ୍ଦ୍ର ଅଧିକାରୀମାନଙ୍କୁ କୁହାଯାଇଛି। ଅଗ୍ନିଜନିତ ବିପଦ ସମୟରେ ୧୧୨କୁ ଡାଏଲ କରିବା ଲାଗି ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି ।