ଖଲ୍ଲିକୋଟ,୨୮ା୧୦(ଡି.ଏନ.ଏ.): ଖଲ୍ଲିକୋଟ ବ୍ଲକର ବିଭିନ୍ନ ଗ୍ରାମରେ ଭୂତାଣୁ ଜନିତ ସଂକ୍ରମଣରେ ବହୁ ଗୋରୁ ଆକ୍ରାନ୍ତ ହୋଇ ଅସୁସ୍ଥ ହେଲେଣି। ବୁଧବାର କେଶପୁରଠାରେ ଗୋଟିଏ ଗୋରୁର ମୃତ୍ୟୁ ହୋଇଛି। କିଛିଦିନ ହେବ ଏହି ରୋଗ ଦେଖାଦେଇଛି। କେଶପୁର ପଞ୍ଚାୟତ, ଶ୍ରୀକୃଷ୍ଣଶରଣପୁର, କହ୍ନେଇପୁର, ବିକ୍ରମପୁର, ଖଲ୍ଲିକୋଟ ଏନ୍ଏସି ଆଦି ଅଞ୍ଚଳରେ ଏହି ରୋଗରେ ଆକ୍ରାନ୍ତ ସଂଖ୍ୟା ବଢ଼ୁଛି। ଏହାର ରକ୍ତ ନମୁନା ପରୀକ୍ଷା ପରେ କେଉଁ ଭୂତାଣୁରୁ ବ୍ୟାପୁଛି ଜଣାପଡ଼ିବ ବୋଲି ପ୍ରାଣୀ ଚିକିତ୍ସାଧିକାରୀ ଭବାନୀ ଶଙ୍କର ଶତପଥୀ ପ୍ରକାଶ କରିଥିଲେ। ଏହା ଚର୍ମବିଣ୍ଡି ରୋଗ (ଲମ୍ବିସ୍କିନ ଡିଜିଜ) ବୋଲି ଅନୁମାନ କରାଯାଉଥିବା କରିଥିଲେ। ଗୋରୁଙ୍କ ଦେହରେ ଆବୁ ବାହାରିବା ପରି ଫୁଲା ଦେଖାଯାଉଛି। ଆକ୍ରାନ୍ତ ଗୋରୁ ଜ୍ୱରରେ ପଡ଼ୁଛନ୍ତି। ୨୧ ହଜାର ଭ୍ୟାକ୍ସିନ ପାଇଁ ଖଲ୍ଲିକୋଟ ପ୍ରାଣୀ ଚିକିତ୍ସାଧିକାରୀ ଜିଲା ପ୍ରଶାସନକୁ ଚିଠି ଲେଖିଥିବା ଜଣାପଡ଼ିଛି। ବୁଧବାର ପ୍ରାଣୀଧନ ନିରୀକ୍ଷକ ଗଁା ଗଁା ବୁଲି ଗୋରୁଙ୍କ ରକ୍ତ, ଲାଳ ଓ ଚମଡ଼ା ଆଦି ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି ଏବଂ ଚାଷୀମାନେ ସଚେତନତା ପାଇଁ ଲିଫଲେଟ ବାଣ୍ଟିଥିଲେ। ଏହି ସଂକ୍ରମଣ ପାଇଁ ପ୍ରଶାସନ ତରଫରୁ ଅତିଶୀଘ୍ର ଭ୍ୟାକ୍ସିନ ଯୋଗାଇବା ପାଇଁ ଶ୍ରୀକୃଷ୍ଣଶରଣପୁର ସରପଞ୍ଚ ରୁପିଲତା ସାହୁ ଓ ଚାଷୀ ଦେବରାଜ ପାହାନ, ଭାସ୍କର ନାହାକ ସମେତ ବହୁ ଚାଷୀ ନିବେଦନ କରିଛନ୍ତି।