
ନୂଆଦିଲ୍ଲୀ,୩୦।୧: ଯେତେବେଳେ ବିଶ୍ୱର ସବୁଠାରୁ ଧନୀ ଲୋକଙ୍କ କଥା ଆସେ, ସେତେବେଳେ ଏଲନ ମସ୍କ, ଜେଫ ବେଜୋସ ଏବଂ ବିଲ ଗେଟ୍ସଙ୍କ ନାମ ମନେ ପଡ଼େ। କିନ୍ତୁ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯିଏ ସେମାନଙ୍କ ସମସ୍ତଙ୍କ ଅପେକ୍ଷା ଧନୀ। କିନ୍ତୁ ତାଙ୍କ ନାମ କୋଟିପତିଙ୍କ ତାଲିକାରେ ନାହିଁ। ହୁଏତ ଆପଣ ମଧ୍ୟ ଏସବୁ ଶୁଣି ଆଶ୍ଚର୍ଯ୍ୟ ହୋଇପାରନ୍ତି। ଆଜ୍ଞା ହଁ, ଏହି ବ୍ୟକ୍ତିଙ୍କ ନାମ ଲାରି ଫିଙ୍କ ଏବଂ ସେ ବ୍ଲାକରକର ସିଇଓ। ଲିଙ୍କ ବିଶ୍ୱର ସର୍ବବୃହତ ସମ୍ପତ୍ତି ପରିଚାଳନା ଫାର୍ମ ଅପରେଟ୍ କରେ। ଏହି ଫାର୍ମ ୭.୪ ଟ୍ରିଲିୟନ ଡଲାରର ଏକ ବିଶାଳ ସମ୍ପତ୍ତି ପରିଚାଳନା କରେ।
ରିପୋର୍ଟ ଅନୁଯାୟୀ, ଡିସେମ୍ବର ୨୦୨୪ ସୁଦ୍ଧା ବ୍ଲାକରକର ବଜାର ପୁଞ୍ଜି ୧୨.୮୦୮ ଟ୍ରିଲିୟନ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହି ଆଧାରରେ, ଏହା ବିଶ୍ୱ ସ୍ତରରେ ୧୦୨ତମ ସବୁଠାରୁ ମୂଲ୍ୟବାନ କମ୍ପାନୀ । ବ୍ଲାକରକ ବିଶ୍ୱବ୍ୟାପୀ ବ୍ୟବସାୟରେ ଟଙ୍କା ନିବେଶ କରେ ଏବଂ ମ୍ୟୁଚୁଆଲ ଫଣ୍ଡରେ ମଧ୍ୟ କାମ କରେ। ତାଙ୍କର ସମ୍ପତ୍ତିର ମୂଲ୍ୟ ୧୧.୫ ଟ୍ରିଲିୟନ ଡଲାରରୁ ଅଧିକ। ଏତେ ସମ୍ପତ୍ତି ସହିତ, ବ୍ଲାକରକ ପାଖରେ ଅନେକ ଦେଶର ମୋଟ GDP ଅପେକ୍ଷା ଅଧିକ ଟଙ୍କା ଅଛି। ବିଶେଷ କଥା ହେଉଛି ବ୍ଲାକରକର ମୋଟ ମୂଲ୍ୟାଙ୍କନ ଆମେରିକାର GDPର ପ୍ରାୟ ଅଧା।
ଫିଙ୍କଙ୍କୁ ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ।
ଲାରି ଫିଙ୍କଙ୍କ ପାଖରେ ଏତେ ସମ୍ପତ୍ତି ଥିବା ସତ୍ତ୍ୱେ, ବହୁତ କମ ଲୋକ ତାଙ୍କ ବିଷୟରେ ଜାଣନ୍ତି। ୨୦୧୦ରେ ଭାନିଟି ଫେୟାରରେ ପ୍ରକାଶିତ ଏକ ଲେଖା ଅନୁଯାୟୀ, ଫିଙ୍କ ରାଜନୈତିକ ଏବଂ ବ୍ୟବସାୟିକ ସ୍ତରରେ ଆର୍ଥିକ କ୍ଷେତ୍ରରେ ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଭାବରେ ବିବେଚିତ ହେଉଥିଲେ। ହେଲେ ଅନେକ ଲୋକ ତାଙ୍କ ବିଷୟରେ ଅଧିକ ଜାଣିନାହାଁନ୍ତି। ଭାନିଟି ଫେୟାର ଆର୍ଟିକିଲରେ କୁହାଯାଇଥିଲା ଯେ ଯେତେବେଳେ ଆମେରିକାରେ ଆର୍ଥିକ ସଙ୍କଟ ଶୀର୍ଷରେ ଥିଲା ଏବଂ ଅର୍ଥନୀତି ଭୁଶୁଡ଼ି ପଡ଼ିବାକୁ ଯାଉଥିଲା। ତା’ପରେ ୱାଲ ଷ୍ଟ୍ରିଟ ମହାରଥୀ ଜେପିମୋର୍ଗାନ ଚେଜ୍ର ଜେମି ଡିମନ, ମୋର୍ଗାନ ଷ୍ଟାନଲିର ଜନ ମ୍ୟାକ ଏବଂ ଏଆଇଜିର ରବର୍ଟ ୱିଲମଷ୍ଟାଡ ସାହାଯ୍ୟ ଏବଂ ପରାମର୍ଶ ପାଇଁ ଲାରି ଫିଙ୍କ ପାଖକୁ ଯାଇଥିଲେ। କେବଳ ଏତିକି ନୁହେଁ, ଆମେରିକାର ଟ୍ରେଜେରୀ ଏବଂ ନ୍ୟୁୟର୍କର ଫେଡେରାଲ ରିଜର୍ଭ ବ୍ୟାଙ୍କ ମଧ୍ୟ ତାଙ୍କର ମତାମତ ଲୋଡ଼ିଥିଲେ। ଫିଙ୍କ ଅନେକ ପ୍ରମୁଖ ଅର୍ଥନୈତିକ ଚୁକ୍ତିରେ ସାହାଯ୍ୟ କରିଥିଲେ।