Categories: ଖେଳ

ଲାରି ନାସାରଙ୍କୁ ଛୁରା ମାଡ଼

ଓ୍ବାଶିଂଟନ, ୧୧ା୭: ଅଲିମ୍ପିକ ପଦକ ବିଜେତାଙ୍କ ସମେତ ବହୁ ମହିଳା ଜିମ୍ନାଷ୍ଟଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ଜେଲ ଦଣ୍ଡ ଭୋଗୁଥିବା କ୍ରୀଡ଼ା ଡାକ୍ତର ଲାରି ନାସାରଙ୍କୁ ଛୁରା ମାଡ଼ ହୋଇଛି। ଫ୍ଲୋରିଡାସ୍ଥିତ ଏକ ସଂଘୀୟ ବନ୍ଦୀଶାଳାରେ ଏହା ଘଟିଛି। କ୍ରୀଡ଼ା ଡାକ୍ତରଙ୍କ ସହ ବଚସା ପରେ ଜେଲ୍‌ର ଜଣେ ଅନ୍ତେବାସୀ ତାଙ୍କୁ ଛୁରିରେ ଆକ୍ରମଣ କରିଥିଲେ। ଜଣେ ଦେଖଣାହାରୀଙ୍କ କହିବା ଅନୁସାରେ ନାସାରଙ୍କ ପିଠି ଓ ଛାତିରେ ଗଭୀର ଆଘାତ ଲାଗିଛି। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଘଟଣାର ତଦନ୍ତ ଚାଲିଛି। ଫେଡେରାଲ କୋର୍ଟ ଦ୍ୱାରା ଦୋଷୀ ଜେଲଦଣ୍ଡ ଭୋଗୁଛନ୍ତି। ମିଚିଗାନ ଷ୍ଟେଟ୍‌ ୟୁନିଭର୍ସିଟି ଏବଂ ଇଣ୍ଡିଆନାପଲିସ୍‌ସ୍ଥିତ ୟୁଏସ୍‌ଏ ଜିମ୍ନାଷ୍ଟିକ୍ସଠାରେ ଟ୍ରେନିଂ ବେଳେ ସେ ଆଥ୍‌ଲେଟମାନଙ୍କୁ ଯୌନ ନିର୍ଯାତନ ଦେଇଥିବା ସ୍ବୀକାର କରିଥିଲେ। ଯୌନ ଶୋଷଣର ଶିକାର ହୋଇଥିବା ଆଥ୍‌ଲେଟଙ୍କ ମଧ୍ୟରେ ରହିଛନ୍ତି ଅଲିମ୍ପିକ ସ୍ବର୍ଣ୍ଣ ବିଜେତା ସିମୋନ ବାଇଲ୍ସ।

Share