ତାଲିବାନ ସହିତ ହାତ ମିଳାଇଲା ଲଶ୍କର, ଭାରତର ସହାୟତା ଲୋଡ଼ିଲେ ଆଫଗାନିସ୍ତାନ ସରକାର…

କାବୁଲ/ନୂଆଦିଲ୍ଲୀ,୪।୮: ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦୀ ଏବଂ ସୈନ୍ୟଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି। ସାଧାରଣ ଜନତାଙ୍କ ଉପରେ ତାଲିବାନ ଆତଙ୍କବାଦୀ ଆକ୍ରମଣ କରୁଛନ୍ତି। ତାଲିବାନ ସହିତ ଲଶ୍କର-ଇ-ତୋଏବା ଆତଙ୍କବାଦୀ ସଂଗଠନ ହାତ ମିଳାଇଛି। ତାଲିବାନ ହିଂସା ସମ୍ପର୍କରେ ଆଫଗାନିସ୍ତାନର ବହିର୍ବ୍ୟାପାର ମନ୍ତ୍ରୀ ହନିଫ ହନିଫ ମଙ୍ଗଳବାର ଦିନ ଭାରତୀୟ ପ୍ରତିପକ୍ଷ ଏସ୍‌. ଜୟଶଙ୍କରଙ୍କ ସହିତ କଥା ହୋଇଛନ୍ତି। ହନିଫ ବିଦେଶୀ କୂଟନୀତିଜ୍ଞଙ୍କ ସହ ସାକ୍ଷାତ କରି କହିଛନ୍ତି ଯେ ତାଲିବାନ ହିଂସାରେ ୩୦୦୦ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ୩ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି।
ଆଫଗାନିସ୍ତାନର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ, ତାଲିବାନର ଆତଙ୍କବାଦୀମାନେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବା, ତେହେରିକ-ଇ-ତାଲିବାନ ପାକିସ୍ଥାନ, ଅଲ କାଏଦା, ପୂର୍ବ ତୁର୍କସ୍ତାନ ଇସଲାମ ଆନ୍ଦୋଳନ ସଂଗଠନ, ଅନସରୁଲ୍ଲା ଆଦି ସଂଗଠନର ୧୦ ହଜାର ଆତଙ୍କବାଦୀଙ୍କ ସହିତ ହାତ ମିଳାଇଛନ୍ତି। ହନିଫ ଜୟଶଙ୍କରଙ୍କ ସହ କଥା ହୋଇ ତାଲିବାନ ହିଂସାକୁ ରୋକିବା ପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଜରୁରୀକାଳୀନ ଅଧିବେଶନ ଲାଗି ଦାବି କରିଛନ୍ତି।
ମଙ୍ଗଳବାର ଦିନ ହନିଫ ଜୟଶଙ୍କରଙ୍କୁ ଫୋନ୍‌ କରିଥିଲେ। ଏହି ସମୟରେ ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ କାବୁଲ ସ୍ଥିତ ବାସଭବନରେ ଆତ୍ମଘାତୀ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଆଫଗାନିସ୍ତାନର ସୁରକ୍ଷା ପରିସ୍ଥିତି ଏବଂ ଲଶ୍କର-୍‌ଇ-ତାଇବା ଏବଂ ତାଲିବାନ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ହନିଫ ଜୟଶଙ୍କରଙ୍କୁ ସୂଚନା ଦେଇଥିଲେ।

Share