କ୍ୱିଭ୍,୭।୩ : ୟୁକ୍ରେନର ଖାର୍କିଭ ସହର ଉପରେ ରୁଷିଆର ଆକ୍ରମଣ ଜାରି ରହିଛି। ଏଠାରେ ରୁଷିଆ କ୍ରମାଗତ ଭାବରେ ବୋମା ଏବଂ କ୍ଷେପଣାସ୍ତ୍ର ମାଡ଼ କରୁଛି। ଲୋକମାନେ ଭୟରେ ଜୀବନ ବଞ୍ଚାଇବା ପାଇଁ ଭିଟାମାଟି ଛାଡୁଛନ୍ତି। ଫଳରେ ଖାର୍କିଭ ଷ୍ଟେଶନରେ ପ୍ରବଳ ଭିଡ଼ ଜମିବାରେ ଲାଗିଛି।
ସୋସିଆଲ ମିଡିଆରେ ଏହାର ଫଟୋ ଏବଂ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଫଟୋ ଏବଂ ଭିଡ଼ିଓରୁ ସ୍ଥାନୀୟ ଅଞ୍ଚଳର ସ୍ଥିତି ସମ୍ପର୍କରେ ସହଜରେ ଜାଣି ହେଉଛି।
ଖାର୍କିଭ ଷ୍ଟେଶନର ଏହି ଫଟୋ ଏବଂ ଭିଡ଼ିଓରେ ପ୍ଲାଟଫର୍ମରେ କେବଳ ଜନ ସମୁଦ୍ର ଦେଖାଯାଉଛି। ଷ୍ଟେଶନରେ ପାଦ ରଖିବା ପାଇଁ ମଧ୍ୟ ସ୍ଥାନ ନାହିଁ। ସମସ୍ତେ ଶୀଘ୍ର ଏହି ସହର ଛାଡି ଏକ ସୁରକ୍ଷିତ ସ୍ଥାନକୁ ଯିବାକୁ ଚାହୁଁଛନ୍ତି। କଷ୍ଟେମଷ୍ଟେ ଟ୍ରେନରେ ଚଢ଼ିବାକୁ ଲୋକେ ଉଦ୍ୟମ କରୁଛନ୍ତି।
ରୁଷିଆ ଏହାର ଆକ୍ରମଣରେ ୟୁକ୍ରେନର ଖାର୍କିଭ ସହରକୁ ସର୍ବାଧିକ ଟାର୍ଗେଟ କରିଛି। ସହରଟି ପ୍ରାୟ ଧ୍ୱଂସାବଶେଷରେ ପରିଣତ ହୋଇଛି। ବହୁ ଉଚ୍ଚ ଅଟ୍ଟାଳିକା ବୋମାମାଡ଼ରେ ଧରାଶାୟୀ ହୋଇଯାଇଛି। ରାସ୍ତା ଓ ବ୍ରିଜ ଭାଙ୍ଗିଯାଇଛି। ସ୍କୁଲ ଏବଂ କଲେଜ ଧ୍ୱଂସସ୍ତୁପରେ ପରିଣତ ହୋଇଛି। ଅସହାୟ ଲୋକେ ସହର ଛାଡ଼ିବାକୁ ଶ୍ରେୟସ୍କର ମଣୁଛନ୍ତି।