ବିଦେଶୀଙ୍କୁ ରୋକିବାକୁ ଶେଷ ଉଦ୍ୟମ

ଓ୍ବାଶିଂଟନ, ୨।୧(ପି.ଟି.): ହ୍ବାଇଟ୍‌ ହାଉସ୍‌ ଛାଡ଼ିବାର ୨୦ ଦିନ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦେଶରେ ବାହାର ଲୋକଙ୍କ ପ୍ରବେଶ ରୋକିବା ଲାଗି ଶେଷ ପଦକ୍ଷେପ ନେଇଛନ୍ତି। ଏଚ୍‌-୧ବି ଭିଜା ସହ ଅନ୍ୟାନ୍ୟ ଓ୍ବାର୍କିଂ ଭିଜା ଅଚଳ ଅବଧିକୁ ସେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଫଳରେ ଭାରତୀୟ ଆଇଟି ପେସାଦାରଙ୍କ ସମେତ ଅନ୍ୟ ବିଦେଶୀ କର୍ମଚାରୀମାନେ କ୍ଷତିଗ୍ରସ୍ତ ହେବେ। ଆମେରିକୀୟ କର୍ମଚାରୀଙ୍କ ସ୍ବାର୍ଥର ସୁରକ୍ଷା ପାଇଁ ରାଷ୍ଟ୍ରପତି ଏଭଳି ନିଷ୍ପତ୍ତି ନେଇଛନ୍ତି। ବିଭିନ୍ନ ବର୍ଗର ଓ୍ବାର୍କ ଭିଜା ଅଚଳ କରିବାକୁ ଟ୍ରମ୍ପ୍‌ ଗତବର୍ଷ ଏପ୍ରିଲ ୨୨ ଓ ଜୁନ୍‌ ୨୨ରେ ନିର୍ଦ୍ଦେଶ ଦେଇଥିଲେ। ଡିସେମ୍ବର ୩୧ରେ ଏହି ସମୟସୀମା ପୂରଣ ହେବା ପୂର୍ବରୁ ପୁଣିଥରେ ଏହାକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ନିର୍ଦ୍ଦେଶନାମାରେ ଥିବା କଟକଣାରେ କୌଣସି ପରିବର୍ତ୍ତନ କରାଯାଇ ନ ଥିବା ଟ୍ରମ୍ପ୍‌ କହିଛନ୍ତି।
କ୍ଷମତାକୁ ଆସିବାର ପ୍ରଥମ ଦିନରୁ ଟ୍ରମ୍ପ୍‌ ବାହାର ଲୋକଙ୍କ ପ୍ରବେଶକୁ ବିରୋଧ କରି ଆସିଛନ୍ତି। ପ୍ରଥମ ଦିନରେ ସେ ୭ ମୁସଲମାନ ବହୁଳ ରାଷ୍ଟ୍ର ପାଇଁ ଯାତାୟାତ ଉପରେ କଟକଣା ଲଗାଇଥିଲେ। ଉକ୍ତ କଟକଣା ଏପର୍ଯ୍ୟନ୍ତ ଜାରି ରହିଛି। ତାଙ୍କର ଏଚ୍‌-୧ବି ଭିଜା କଟକଣାକୁ ଉଠାଇଦେବା ଲାଗି ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ପ୍ରତିଶ୍ରୁତି ଦେଇଥିଲେ। ଏଚ୍‌-୧ବି ହେଉଛି ଏକ ଅଣପ୍ରବାସୀ ଭିଜା ଯାହା ଆମେରିକୀୟ କମ୍ପାନୀଗୁଡ଼ିକୁ ବିଦେଶୀ କର୍ମଚାରୀ ନିଯୁକ୍ତି ଲାଗି ସୁଯୋଗ ଦେଇଥାଏ। ଏହାର ସୁଯୋଗ ନେଇ ସେଠାର ଟେକ୍‌ନୋଲୋଜି କମ୍ପାନୀଗୁଡ଼ିକ ଭାରତ ଓ ଚାଇନାରୁ ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ନିଯୁକ୍ତି ଦେଉଥିଲେ। ଏବେ ସେମାନଙ୍କୁ ଆଉ ୩ ମାସ ଅପେକ୍ଷା କରିବାକୁ ପଡ଼ିବ। ସେହିପରି ଏଚ୍‌-୧ବି ଭିଜା ନବୀକରଣ ଚାହୁଁଥିବା ବହୁସଂଖ୍ୟାରେ ଭାରତୀୟ ଆଇଟି ପେସାଦାରମାନେ ମଧ୍ୟ ପ୍ରଭାବିତ ହେବେ।
ମହାମାରୀ ଯୋଗୁ ଆମେରିକା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏହାର ଶ୍ରମ ବଜାର ପ୍ରଭାବିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ପୂର୍ବ ଘୋଷଣାନାମାର ସମୟସୀମା ବଢ଼ାଗଲା ବୋଲି ଟ୍ରମ୍ପ୍‌ କହିଛନ୍ତି।

Share