ପୋଲିସ, ପ୍ରଶାସନ ପକ୍ଷରୁ ୩ ଗ୍ରାମରକ୍ଷୀଙ୍କୁ ଶେଷ ସମ୍ମାନ

ନବରଙ୍ଗପୁର/ନନ୍ଦାହାଣ୍ଡି,୨୦।୨ (ବି.ପ୍ର./ଡି.ଏନ୍‌.ଏ.): ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନବରଙ୍ଗପୁର ରିଜର୍ଭ ଅଫିସରୁ କୋଷାଗୁମୁଡ଼ା ବ୍ଲକ୍‌କୁ ଗ୍ରାମରକ୍ଷୀଙ୍କୁ ନେଇ ଯାଉଥିବା ପୋଲିସ ବସ୍‌ ଶୁକ୍ରବାର ରାତିରେ ପାପଡ଼ାହାଣ୍ଡି ଥାନା ଅଧୀନ ସୋରିଷପଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୩ ଗ୍ରାମରକ୍ଷୀ ସି.ଏଚ୍‌. ଶେଷାରାଓ, ଜଗବନ୍ଧୁ ଗୌଡ଼ ଏବଂ ରବି ବିଶୋଇଙ୍କ ମୃତ୍ୟୁ ଘଟିବା ସହ ୬ଜଣ ଗୁରୁତର ହୋଇଥିଲେ। ଶନିବାର ୩ ଗ୍ରାମରକ୍ଷୀଙ୍କ ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ଜିଲା ପ୍ରଶାସନ ଓ ପୋଲିସ ପକ୍ଷରୁ ସମ୍ମାନ ଜଣାଇବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।

ମୃତ ୩ ତିନି ଗ୍ରାମରକ୍ଷୀଙ୍କ ଘର ନବରଙ୍ଗପୁର ସଦର, ତେନ୍ତୁଳିଖୁଣ୍ଟି ଏବଂ ନନ୍ଦାହାଣ୍ଡି ବ୍ଲକ ଅଞ୍ଚଳରେ ହୋଇଥିବାବେଳେ ସେମାନଙ୍କ ଘରକୁ ମୃତଦେହ ପଠାଯାଇଥିଲା। ଜିଲାପାଳ କମଳଲୋଚନ ମିଶ୍ର ଏବଂ ଏସ୍‌ପି ପରଷୋତ୍ତମ ଦାସ ମୃତ ଗ୍ରାମରକ୍ଷୀମାନଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ସେହିପରି ସ୍ଥାନୀୟ ପୋଲିସ ଓ ପ୍ରଶାସନ ପକ୍ଷରୁ ମୃତ ଗ୍ରାମରକ୍ଷୀମାନଙ୍କୁ ସମ୍ମାନ ପ୍ରଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ନବରଙ୍ଗପୁର ଥାନାଧିକାରୀ ତାରିକ୍‌ ଅହମ୍ମଦ, ଏଏସ୍‌ଆଇ ଅଶୋକ କୁମାର ଦେଓ, ତହସିଲଦାର ରବୀନ୍ଦ୍ର ରାଉତ ଉପସ୍ଥିତ ରହି ନବରଙ୍ଗପୁର ସଦର ଇଚ୍ଛାବତୀଗୁଡ଼ା ସାହିର ମୃତ ଗ୍ରାମରକ୍ଷୀ ସି.ଏଚ୍‌. ଶେଷାରାଓଙ୍କୁ ଶେଷ ସମ୍ମାନ ଜଣାଇଥିଲେ। ନନ୍ଦାହାଣ୍ଡି ଡଙ୍ଗରଭେଜାଠାରେ ତହସିଲଦାର ଏ. ସ୍ନେହଲତା, ଥାନାଧିକାରୀ ରାମେଶ୍ୱର ପ୍ରଧାନ ଓ ପୋଲିସ କର୍ମଚାରୀ ଗ୍ରାମରକ୍ଷୀ ଜଗବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଜିଲା ପ୍ରଶାସନ ପକ୍ଷରୁ ରେଡ୍‌କ୍ରସ୍‌ରୁ ସ୍ଥାନୀୟ ତହସିଲଦାରଙ୍କ ମାଧ୍ୟମରେ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨୦ ହଜାର ଟଙ୍କା ଲେଖାଏ ସହାୟତା ଦିଆଯାଇଛି। ସେହିପରି ପୋଲିସ ପକ୍ଷରୁ ଏସ୍‌ପିଙ୍କ ନିର୍ଦ୍ଦେଶରେ ଥାନା ଅଧିକାରୀମାନେ ୨୫ ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ କରିଛନ୍ତି। ଗୁରୁତରଙ୍କୁ ସହାୟତା ନିମନ୍ତେ ଏସ୍‌ପି ଜିଲାପାଳଙ୍କୁ ଚିଠି ଲେଖିଛନ୍ତି।

ସୂଚନାଯୋଗ୍ୟ, ୭ ଗୁରୁତରଙ୍କୁ ନବରଙ୍ଗପୁର ଜିଲା ଡାକ୍ତରଖାନାରୁ କୋରାପୁଟ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ୨୧ ଆହତ ନବରଙ୍ଗପୁରରେ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣାରେ ପାପଡ଼ାହାଣ୍ଡି ଥାନାରେ ୨୫/୨୨ରେ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି।

Share