ମୁମ୍ବାଇ: ଭରତରତ୍ନ ପୁରସ୍କାରପ୍ରାପ୍ତ ଲତା ମଙ୍ଗେସକର ଆଉ ଆମ ସହିତ ନାହାନ୍ତି। ଲତା ୩୦ରୁ ଅଧିକ ଭାଷାରେ ଗୀତ ଗାଇଥିଲେ। ଏହା ସହିତ ସେ ଏକମାତ୍ର ଜୀବନ୍ତ ବ୍ୟକ୍ତି, ଯାହାଙ୍କ ନାମରେ ପୁରସ୍କାର ଦିଆଯାଇଥିଲା। ୯୨ ବର୍ଷ ବୟସରେ ମଧ୍ୟ ତାଙ୍କ ସ୍ବର ଜଣେ ଯୁବତୀଙ୍କଠାରୁ କମ୍ ନ ଥିଲା।
୨୮ ସେପ୍ଟେମ୍ବର ୧୯୨୯ରେ ମଧ୍ୟପ୍ରଦେଶର ଇନ୍ଦୋରରେ ଜନ୍ମଗ୍ରହଣ କରିଥିବା ଲତା ମଞ୍ଚ ଗାୟକ ଦୀନନାଥ ମଙ୍ଗେସକର ଏବଂ ସୁଧାମତୀଙ୍କ ଝିଅ। ଭଉଣୀଭାଇଙ୍କ ମଧ୍ୟରେ ବଡ଼ ଥିଲେ ଲତା। ମାତ୍ର ୫ ବର୍ଷ ବୟସରେ ପିତା ସଙ୍ଗୀତରେ ତାଙ୍କୁ ତାଲିମ ଦେଇଥିଲେ। ଭଉଣୀ ଆଶା, ଉଷା ଏବଂ ମୀନାଙ୍କ ସହ ସଙ୍ଗୀତ ଶିକ୍ଷା ଗ୍ରହଣ କରିବା ବ୍ୟତୀତ ଲତା ପିଲାଦିନରୁ ଥିଏଟର କ୍ଷେତ୍ରରେ ମଧ୍ୟ ସକ୍ରିୟ ଥିଲେ। ଯେତେବେଳେ ଲତାଙ୍କୁ ୭ ବର୍ଷ ହୋଇଥିଲା, ସେତେବେଳେ ତାଙ୍କ ପରିବାର ମୁମ୍ବାଇ ଯାଇଥିଲେ। ସେହିଦିନଠାରୁ ସେଠାରେ ରହିଥିଲେ।
ଲତା ବି ଯୁବତୀ ବୟସରେ ଡଙ୍ଗରପୁର ରାଜ ପରିବାରର ମହାରାଜା ରାଜ୍ ସିଂଙ୍କୁ ପ୍ରେମ କରୁଥିଲେ ବୋଲି ସେତେବେଳେ ଚର୍ଚ୍ଚା ହେଉଥିଲା। ଲତାଙ୍କ ଭାଇ ହୃଦୟନାଥ ମଙ୍ଗେସକର ଏବଂ ରାଜ୍ ସିଂ ଭଲ ବନ୍ଧୁ ଥିଲେ। ଦୁହେଁ ଏକାଠି କ୍ରିକେଟ ଖେଳୁଥିଲେ। ଏହି ସମୟରେ ଲତାଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ପରେ ଉଭୟେ ପ୍ରେମରେ ପଡ଼ିବା ସହ ଧୀରେ ଧୀରେ ନିକଟତର ହୋଇଥିଲେ।
ଲତା ଏକ ସାଧାରଣ ପରିବାରର ହୋଇଥିବାବେଳେ ଡଙ୍ଗରପୁର ରାଜ ପରିବାରର ମହାରାଜା ରାଜ୍ ସମ୍ଭ୍ରାନ୍ତ ପରିବାରର ଥିଲେ। ତେଣୁ ଏହି ବିବାହ କଷ୍ଟସାଧ୍ୟ ଥିଲା। ରାଜ୍ ତାଙ୍କ ଜୀବନରେ ଅନ୍ୟ କାହାକୁ ବିବାହ କରି ନ ଥିଲେ। ଏଥି ସହିତ ଲତା ଘରର ଦାୟିତ୍ୱ ହେତୁ ସେ ବିବାହ କରିପାରିବେ ନାହିଁ ବୋଲି ପିତାଙ୍କୁ କହିଥିଲେ। କେବଳ ଏହି ଗୋଟିଏ କାରଣ ପାଇଁ ଲତା ସାରା ଜୀବନ ଅବିବାହିତା ରହିଗଲେ।
୧୯୪୨ ମସିହାରେ ପିତାଙ୍କ ହୃଦ୍ଘାତରେ ମୃତ୍ୟୁ ହୋଇଥିଲା। ପରେ ଲତା କିଛି ବର୍ଷ ପାଇଁ ହିନ୍ଦୀ ଏବଂ ମରାଠୀ ଫିଲ୍ମରେ କାମ କରି ପରିବାର ପ୍ରତିପୋଷଣ କରିଥିଲେ। ‘ମୀରା ବାଇ’ ‘ପହିଲି ମଙ୍ଗଳଗୌର’, ‘ଗଜା ଭାଉ’ ପରି ଫିଲ୍ମରେ କ୍ୟାରିୟରର ପ୍ରଥମ ଦିନରେ ଲତାଙ୍କୁ ମଧ୍ୟ ବହୁତ ସଂଘର୍ଷ କରିବାକୁ ପଡ଼ିଥିଲା। କିଛି ସଂଗୀତଜ୍ଞ ପ୍ରଥମେ ଲତାଙ୍କ ସ୍ବରକୁ ପସନ୍ଦ କରି ନ ଥିଲେ। ୧୯୪୭ ‘ଆପକି ସେବା ମୈ’ରେ ଗାଇଥିବା ଗୀତରେ ଲତା ପ୍ରଥମ ବଡ଼ ସଫଳତା ପାଇଲେ। ସେହିଦିନଠାରୁ ସେ ଆଉ ପଛକୁ ଚାହିଁନାହାନ୍ତି।
ଭାରତ ସରକାର ଲତାଙ୍କୁ ୧୯୬୯ରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ। ସେହିପରି ୨୦୦୧ରେ ଭାରତରତ୍ନରେ ମଧ୍ୟ ଲତା ମଙ୍ଗେସକରଙ୍କୁ ପୁରସ୍କୃତ କରାଯାଇଥିଲା। ସିନେମା ଜଗତରେ ତାଙ୍କୁ ଜାତୀୟ ପୁରସ୍କାର, ଦାଦାସାହେବ ଫାଲ୍କେ ପୁରସ୍କାର ଏବଂ ଫିଲ୍ମ ଫେୟାର ପୁରସ୍କାର ସମେତ ଅନେକ ସମ୍ମାନରେ ସମ୍ମାନିତ କରାଯାଇଛି।