ନିର୍ମାଣ ହେବ ଭାରତ ରତ୍ନ ଲତା ମଙ୍ଗେସକରଙ୍କ ବାୟୋପିକ!

ମୁମ୍ବାଇ: ଭାରତ ରତ୍ନ, ସୁର ସାମ୍ରାଜ୍ଞୀ, କୋକିଳ କଣ୍ଠି, ଭାରତର ନାଇଟ ଆଙ୍ଗଲ ଲତା ମଙ୍ଗେସକର ଆଉ ଆମ ଗହଣରେ ନାହାନ୍ତି । ହେଲେ ସେ ମନୋରଞ୍ଜନ ଦୁନିଆରେ ଏମିତି ଏକ ଛାପ ଛାଡି ଯାଇଛନ୍ତି ଯାହା ଅଭୁଲା ହୋଇ ରହିବ ପିଢି ପିଢି ଧରି । ବହୁ ସଂଘର୍ଷ ପରେ ସଙ୍ଗିତ ଦୁନିଆର ଏମିତି ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି ଲତା ଯେଉଁଠି ଆଉ କେହି ପହଞ୍ଚିବା କଷ୍ଟକର ପାଠ ହୋଇଯିବ । ଭାରତୀୟ ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ୭ ଦଶକରୁ ଅଧିକ ସମୟ ଧରି ଶ୍ରୋତାଙ୍କୁ ବାନ୍ଧି ରଖିବାରେ ସକ୍ଷମ ଥିଲେ ଲତା । କେବଳ ଭାରତ ନୁହେଁ ଏସିଆ ମହାଦେଶରେ ସେ ଥିଲେ ଏକ ପରିଚିତ ନାମ ।
ଲତା ଦିଦିଙ୍କ ଇନସ୍ପାରିଂ ଜର୍ନିକୁ ନେଇ ତାଙ୍କର ବାୟୋପିକ୍ ନିର୍ମାଣ କରିବାକୁ ବଲିଉଡର ନାଁ କରା ନିର୍ଦ୍ଦେଶକମାନେ ବହୁ ପୂର୍ବରୁ ଚିନ୍ତା କରିଥିଲେ ବି ଏପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇ ପାରି ନାହିଁ । ଶୁଣିବାକୁ ମିଳେ ଯେ ଲତା ମଙ୍ଗେସକର କୁଆଡେ ତାଙ୍କ ବାୟୋପିକ୍ ନିର୍ମାଣ ସପକ୍ଷରେ ନ ଥିଲେ ଯାହା ପାଇଁ ତାଙ୍କ ବାୟୋପିକ୍ ନିର୍ମାଣରେ ଏତେ ବିଳମ୍ବ ହୋଇଛି । ଏବେ ସେ ଆମ ଗହଣରୁ ବିଦାୟ ନେଇଥିବା ବେଳେ ବଲିଉଡର ଆଗଧାଡିର ନିର୍ଦ୍ଦେଶକ ସଞ୍ଜୟ ଲିଲା ଭଂସାଲି, ଆନନ୍ଦ ଏଲ ରୟ ଓ ରାକେଶ ଓମ ପ୍ରକାଶ ମେହେରା ଏବେ ଲତା ଦିଦିଙ୍କ ବାୟୋପିକ୍ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି । କୁହାଯାଏ ନିର୍ଦ୍ଦେଶକ ସଞ୍ଜୟ ଲିଲା ଭଂସାଲି ଗତ ୧୦ ବର୍ଷ ହେବ ଲାତାଙ୍କ ବାୟୋପିକ ନିର୍ମାଣ କରିବାକୁ ମନ ବଳାଇଥିଲେ ବି ଶେଷ ପର୍ଯ୍ୟନ୍ତ ତାଙ୍କର ଏହି ଆଶା ପୂରଣ ହୋଇପାରି ନାହିଁ । ଏବେ ଚିନ୍ତା କରାଯାଉଛି ଯେ ଲତା ଦିଦିଙ୍କ ଜୀବନ କେଉଁ ଭାଗକୁ ନେଇ କିଏ କ’ଣ ନିର୍ମାଣ କରିବେ । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଲତା ଦିଦିଙ୍କ ବାୟୋପିକ ପାଇଁ କୁଆଡେ ତାଙ୍କ ପରିବାର ରାଜି ହେବା ମୁଡରେ ଅଛନ୍ତି । ଏ ନେଇ ସେମାନେ ପ୍ଲାନିଂ କରୁଥିବା କୁହାଯାଉଛି ।

Share