Categories: ଜାତୀୟ

ସୁର ସାମ୍ରାଜ୍ଞୀ ଲତା ମଙ୍ଗେସ୍‌କରଙ୍କ ପରଲୋକ

ନୂଆଦିଲ୍ଲୀ,୬।୨: ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଭେଟେରାନ୍‌ ଗାୟିକା ଲତା ମଙ୍ଗେସ୍‌କରଙ୍କ ରବିବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ଗତ ମାସରେ ୯୨ବର୍ଷୀୟା ଲତା କୋଭିଡ୍‌-୧୯ରେ ସଂକ୍ରମିତ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପରେ ସେ ନିମୋନିଆରେ ଆକ୍ରାନ୍ତ ହୋଇଥିଲେ। ଇତିମଧ୍ୟରେ ସେ କୋଭିଡ୍‌ ଏବଂ ନିମୋନିଆରୁ ଆରୋଗ୍ୟ ଲାଭ କରିଥିଲେ ସୁଦ୍ଧା ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଚିକିତ୍ସା କରୁଥିବା ଡାକ୍ତରୀ ଦଳ ପକ୍ଷରୁ ସୂଚନା ଦିଆଯାଇଛି।

ସୁର ସମ୍ରାଜ୍ଞୀ ଲତା ହିନ୍ଦୀ, ମରାଠୀ, ବଙ୍ଗଳା ଏବଂ ବହୁ ଆଞ୍ଚଳିକ ଭାଷାରେ ଗୀତ ଗାଇଛନ୍ତି। ତାଙ୍କୁ ଭାରତ ରତ୍ନ, ପଦ୍ମଭୂଷଣ, ପଦ୍ମ ବିଭୂଷଣ ଏବଂ ଦାଦାସାହେବ ଫାଲ୍‌କେ ପୁରସ୍କାର ସହିତ ଅନେକ ଜାତୀୟ ତଥା ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଛି। ୨୦୦୪ରେ ବଲିଉଡ୍‌ ରିଲିଜ୍‌ ଭିର୍‌-ଜରା ଲତାଙ୍କ ଶେଷ ଆଲ୍‌ବମ୍‌। ’ନାଇଟେଙ୍ଗଲ ଅଫ୍‌ ଇଣ୍ଡିଆ’ ଭାବରେ ଜଣାଶୁଣା ଲତା ୧୯୪୨ରେ ପିତା ପଣ୍ଡିତ ଦୀନାନାଥ ମଙ୍ଗେସ୍‌କରଙ୍କ ମୃତ୍ୟୁ ପରେ ପରିବାରକୁ ଆର୍ଥିକ ସହାୟତା କରିବା ପାଇଁ ଗୀତ ଗାଇବା ଆରମ୍ଭ କରିଥିଲେ। ସେ ଜଣେ ଶାସ୍ତ୍ରୀୟ ଗାୟିକ ତଥା ଥିଏଟର ଅଭିନେତ୍ରୀ ଥିଲେ। ୧୯୪୮ରେ ବଲିଉଡ୍‌ରେ ଲତାଙ୍କ ପ୍ରଥମ ଗୀତ ହେଉଛି ଚଳଚ୍ଚିତ୍ର ମଜବୁରର ‘ଦିଲ୍‌ ମେରା ତୋଡା’। ହେଲେ ୧୯୪୯ରେ ମହଲ୍‌ ଚଳଚ୍ଚିତ୍ରର ‘ଆୟେଗା ଆନେୱାଲା’ ତାଙ୍କର ପ୍ରଥମ ପ୍ରମୁଖ ଗୀତ ହିଟ୍‌ ହୋଇଥିଲା।

Share