ନାସିକରେ ବିସର୍ଜନ ହେଲା ସୁର ସାମ୍ରାଜ୍ଞୀଙ୍କ ଅସ୍ଥି

ମୁମ୍ବାଇ,୧୦।୨: ମହାରାଷ୍ଟ୍ର ନାସିକ ଜିଲାର ଗୋଦାବରୀ ନଦୀକୂଳ ସ୍ଥିତ ରାମକୁଣ୍ଡରେ ଭାରତ ରତ୍ନ ତଥା ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଅସ୍ଥି ବିସର୍ଜନ କରାଯାଇଛି। ଗୁରୁବାର ସକାଳେ ପରିବାରର ସମସ୍ତ ସଦସ୍ୟ ଲତାଙ୍କ ଅସ୍ଥି ବିସର୍ଜନ ପାଇଁ ନାସିକରେ ପହଞ୍ଚିଥିଲେ। ଏହି ଅବସରରେ ଆଶା ଭୋସଲେ, ଉଷା ମଙ୍ଗେସକର ଓ ଆଦି ମଙ୍ଗେସକର ସମେତ ଅନ୍ୟାନ୍ୟ ପରିବାର ସଦସ୍ୟ ମଧ୍ୟ ସାମିଲ ହୋଇଥିଲେ। ବିସର୍ଜନ ସମୟରେ ଗୋଦାବରୀ ନଦୀକୂଳରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା। ଭିଡ଼କୁ ନିୟନ୍ତ୍ରଣ କରିବା ଲାଗି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଲତାଙ୍କ ଅସ୍ଥି କଳସକୁ ଶେଷ ଦର୍ଶନ କରି ପ୍ରଶଂସକମାନେ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। ଏହାପରେ ଧାର୍ମିକ ବିଧିବିଧାନ ଓ ରୀତିନୀତି ଅନୁସାରେ ଗୋଦାବରୀ ନଦୀରେ ତାଙ୍କର ଅସ୍ଥି ବିସର୍ଜନ କରାଯାଇଥିଲା। ବିସର୍ଜନ ସମୟରେ ସେଠାରେ ଏକ ପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସୂଚନା ମୁତାବକ ଲତା ମଙ୍ଗେସକରଙ୍କ ଅସ୍ଥିକୁ କାଶୀ ଓ ହରିଦ୍ୱାରରେ ମଧ୍ୟ ବିସର୍ଜନ କରାଯିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଫେବୃଆରୀ ୬ରେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ପରଲୋକ ଘଟିଥିଲା। ତାଙ୍କ ମୃତ୍ୟୁରେ ପୁରା ଦେଶବାସୀ ସ୍ତବ୍ଧ ହୋଇଯାଇଥିଲେ।

Share