ଲତାଙ୍କ ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି: ୨୯ ଦିନ ହେବ ଭର୍ତ୍ତି ଅଛନ୍ତି ଆଇସିୟୁରେ

ମୁମ୍ବାଇ,୬ ।୨: ଭାରତ ରନ୍ନ, ସୁର ସାମ୍ରାଜ୍ଞି ଲତା ମଙ୍ଗେସକରଙ୍କର ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଛି । ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲରେ ସେ ଦୀର୍ଘ ୨୯ ଦିନ ହେବ ଆଇସିୟୁରେ ରହି ଚିକିତ୍ସିତ ହେଉଛନ୍ତି । ଶନିବାର ହଠାତ୍ ତାଙ୍କ ସ୍ୱାସ୍ଥ୍ୟରେ ଅବନତି ହୋଇଥିଲା । ତେବେ ସ୍ୱତନ୍ତ୍ର ଡାକ୍ତରୀ ଟିମଙ୍କ ଦ୍ୱାରା ତାଙ୍କର ଚିକିତ୍ସା ଚାଲିଥିବା ବେଳେ ରବିବାର ସକାଳ ସୁଦ୍ଧା ତାଙ୍କ ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଥିବା ଜଣାପଡିଛି । ସବୁ ମହଲରୁ ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଉଛି । ବିଶ୍ୱାସ ରହିଛି କି ସେ ଖୁବଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବେ । ନିଜର ସୁମଧୁର କଣ୍ଠରେ କିଛି ପିଢିଧରି ରାଜ କରୁଥିବା ଏହି ସ୍ୱର କୋକିଳାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଖବର ଆସିବା ପରେ ତାଙ୍କ ପ୍ରଶଂସକ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି । ଭଉଣୀ ତଥା ବଲିଉଡ ଗାୟିକା ଆଶା ଭୋସଲେ ଏହି ଖବର ଦେଇଛନ୍ତି । ସୂଚନଯୋଗ୍ୟ, ୮ ଜାନୁୟାରୀରେ ସେ କରୋନାରେ ପୀଡିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହାପରେ ସେ କରୋନାରୁ ସୁସ୍ଥ ହୋଇଯାଇଥିବା ବେଳେ ପୁଣିଥରେ ଅସୁସ୍ଥ ହୋଇ ପଡିଥିଲେ । ୯୨ ବର୍ଷିୟା ଲତାଙ୍କ ସ୍ୱାସ୍ଥୃାବସ୍ଥ୍ରା ସମ୍ପର୍କରେ ଜାଣିବା ଲାଗି ବହୁ ନେତା ଓ ବଲିଉଡ ସେଲିବ୍ରିଟିମାନେ ବ୍ରିଚ କାଣ୍ଡି ହସ୍ପିଟାଲ ପହଞ୍ଚିଛନ୍ତି ।

Share