ଗିନିଜ୍‌ ବୁକ୍‌ରେ ଅଛି କୋକିଳ କଣ୍ଠୀଙ୍କ ନାମ

ବମ୍ବେ: ୧୯୨୯ ସେପ୍ଟେମ୍ବର ୨୮ରେ ସୁର ସାମ୍ରାଜ୍ଞୀ ଲତା ମଧ୍ୟପ୍ରଦେଶର ଇନ୍ଦୋରରେ ଜନ୍ମଗ୍ରହଣ କରିଥିଲେ। ପିଲାଦିନେ ତାଙ୍କ ନାମ ‘ହେମା’ ଥିଲା। ହେଲେ ପାଞ୍ଚ ବର୍ଷ ପରେ ତାଙ୍କ ନାମ ‘ଲତା’ ରଖାଯାଇଥିଲା। ଲତାଙ୍କ ଭାଇ ହୃଦୟନାଥ ମଙ୍ଗେସକର ସଙ୍ଗୀତ ନିର୍ଦ୍ଦେଶକ ଥିବା ବେଳେ ଭଉଣୀ ଉଷା ମଙ୍ଗେସକର, ଆଶା ଭୋସଲେ, ମୀନା ଖାଦିକର ଗାୟିକା। ଭଉଣୀଭାଇଙ୍କ ପରି ସଙ୍ଗୀତ ପ୍ରତି ଆକର୍ଷିତ ଥିବା ଲତା ସବୁଠାରୁ ଅଧିକ ଗୀତ ଗାଇ ଗିନିଜ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛନ୍ତି। ବିଭିନ୍ନ ଭାଷାରେ ସେ ୩୦ହଜାରରୁ ଅଧିକ ଗୀତ ଗାଇଛନ୍ତି। ଏବେ ତାଙ୍କ ନିଧନ ଖବରଶୁଣି ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି। କୋକିଳକଣ୍ଠିଙ୍କ ପରଲୋକ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ଏନେଇ ଜାତୀୟ ପତାକା ୨ ଦିନ ଲାଗି ଅର୍ଦ୍ଧନମିତ ରହିବ। ତେବେ ଲତାଙ୍କ ପାର୍ଥିବ ଶରୀର ପ୍ରାୟ ୧୨.୩୦ ସମୟରେ ତାଙ୍କ ବାସଭବନକୁ ଅଣାଯିବ। ସେଠାରୁ ଶିବାଜୀ ପାର୍କକୁ ନିଆଯାଇ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସନ୍ଧ୍ୟା ୬.୩୦ରେ ଅନ୍ତିମ ସତ୍କାର କରାଯିବ।

Share