ନୂଆଦିଲ୍ଲୀ,୨୩।୩: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର କୋଭିଡ-୧୯ ସମ୍ବନ୍ଧରେ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଏହା ଏପ୍ରିଲ ୧ରୁ ୩୦ ପର୍ଯ୍ୟନ୍ତ ପ୍ରଯୁଜ୍ୟ ହେବ। ତଦନୁଯାୟୀ କରୋନା ସଂକ୍ରମଣକୁ ରୋକିବା ଲାଗି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ସ୍ଥିତିକୁ ଅନୁଧ୍ୟାନ କରିବା ପରେ ଜିଲା, ସହର ଏବଂ ଓ୍ବାର୍ଡସ୍ତରରେ ସ୍ଥାନୀୟ ପ୍ରଶାସନ ପ୍ରତିବନ୍ଧକ ଲଗାଇପାରିବେ। ଅନ୍ୟମାନଙ୍କ ଉପରେ ଯାନବାହନ ଚଳାଚଳ ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। ଏହାଛଡ଼ା ଯେଉଁଠାରେ ଆର୍ଟିପିସିଆର୍ ପରୀକ୍ଷଣର ଅନୁପାତ କମ୍, ଏହାକୁ ଶୀଘ୍ର ବୃଦ୍ଧି କରାଇବା ଉଚିତ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ନିର୍ଦ୍ଦେଶାବଳୀରେ କୁହାଯାଇଛି, ପ୍ରାଥମିକତାକୁ ଦୃଷ୍ଟିରେ ରଖି କୋଭିଡ ଟିକାକରଣ ଗତିକୁ ତ୍ୱରାନ୍ବିତ କରିବା ଉଚିତ। କିଛି ରାଜ୍ୟରେ ଏହା ମନ୍ଥର ଗତିରେ ଚାଲିଛ, ଯାହାକି ଚିନ୍ତାର ବିଷୟ। ଜୀବାଣୁ ବ୍ୟାପିବାକୁ ରୋକିବା ଲାଗି ଟିକାକରଣ ଗୁରୁତ୍ୱପୂର୍ଣ୍ଣ ଅଟେ। ବିଶେଷକରି କର୍ମସ୍ଥଳ, ସର୍ବସାଧାରଣ ସ୍ଥାନ ବିଶେଷକରି ଜନଗହଳିପୂର୍ଣ୍ଣ ସ୍ଥାନରେ କୋଭିଡ ୧୯ର ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ପଦକ୍ଷେପ ନେବା ଉଚିତ ବୋଲି କୁହାଯାଇଛି।