Categories: ଖେଳ

ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ପର୍ବତାରୋହଣ ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର, ୭।୮ (ତପନ ସ୍ବାଇଁ): କ୍ରୀଡ଼ା ଓ ଯୁବସେବା ବିଭାଗ ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ ରବିବାର କଳିଙ୍ଗ ଷ୍ଟାଡିୟମରେ ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ପର୍ବତାରୋହଣ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅଭିଯାନରେ ଏଥର ପର୍ବତାରୋହୀମାନେ ୟୁରୋପର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲବ୍ରୁଶ୍‌ ଆରୋହଣ କରିବେ। ପର୍ବତାରୋହୀ ଦଳର ମୋଟ ୧୭ ସଦସ୍ୟ ରହିବେ ଏବଂ ଏହାର ନେତୃତ୍ୱ ନେବେ ନୀଳାଚଳ ପରିଡ଼ା। ଓଡ଼ିଶାର ମୋଟ ୫ ସଦସ୍ୟ ଏହି ଦଳରେ ରହିଛନ୍ତି।

ମାଉଣ୍ଟ ଏଲବ୍ରୁଶ୍‌ ଅଭିଯାନ ସୋମବାର ଆରମ୍ଭ ହୋଇ ୨୧ରେ ଶେଷ ହେବ। କ୍ରୀଡ଼ା ବିଭାଗ ଯୁଗ୍ମ ସଚିବ ବିଜୟାନନ୍ଦ ନାୟକ ଏବଂ ଅନ୍ୟ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ନୀଳାଚଳଙ୍କ ବ୍ୟତୀତ ଏହି ଅଭିଯାନରେ ଓଡ଼ିଶାରୁ ସାମିଲ ହୋଇଥିବା ଅନ୍ୟ ପର୍ବତାରୋହୀମାନେ ହେଲେ ଚିନ୍ମୟ ସିଂ, ଶ୍ରୀକାନ୍ତ ଖୁଣ୍ଟିଆ, ରଞ୍ଜୀତ ବୀରା ଓ ଆଦିତ୍ୟ ପ୍ରସାଦ ଖାଡଗା।

ଅଗଷ୍ଟ ୧୫ରେ ସ୍ବାଧୀନତା ଦିବସ ଅବସରରେ ପର୍ବତାରୋହୀମାନେ ମାଉଣ୍ଟ ଏଲବ୍ରୁଶ୍‌ ଉପରେ ତ୍ରିରଙ୍ଗା ଉଡ଼ାଇ ଦେଶପାଇଁ ଜୀବନ ଦେଇଥିବା ଶହୀଦ ଏବଂ କୋଭିଡ୍‌ ମହାମାରୀରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। କ୍ରୀଡ଼ା ନର୍ଦ୍ଦେଶକ ସିଦ୍ଧାର୍ଥ ଦାସ ଅଭିଯାନରେ ବାହାରିଥିବା ପର୍ବତାରୋହୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପର୍ବତାରୋହୀଭାବେ ନୀଳାଚଳ ଅନ୍ୟମାନଙ୍କ ପାଇଁ ପ୍ରେରଣା ଏବଂ ଜଣେ କୋଭିଡ ଯୋଦ୍ଧା। ସୁରକ୍ଷିତଭାବେ ଏହି ଅଭିଯାନ ଶେଷ ହେଉ ବୋଲି ସେ କାମନା କରିଛନ୍ତି। ପୂର୍ବରୁ ନୀଳାଚଳ ଆଫ୍ରିକାର ମାଉଣ୍ଟ କିଲିମାଞ୍ଜାରୋ ଆରୋହଣ ଅବସରରେ ଜାତୀୟ ପତାକା ଉଡ଼ାଇଥିଲେ।

Share