ନୂଆଦିଲ୍ଲୀ,୨୬।୧: ଦେଶର ସର୍ବବୃହତ୍ ତଥା ସମ୍ପୂର୍ଣ୍ଣ ସମନ୍ବିତ ଲଜିଷ୍ଟିକ୍ସ କମ୍ପାନୀ ଡେଲିଭରି ପକ୍ଷରୁ ଲଜିଷ୍ଟିକ୍ସ ଶିଳ୍ପରେ କ୍ୟାରିୟର ଗଠନ କରିବା ଲାଗି ଯୁବପିଢ଼ିଙ୍କୁ ସଶକ୍ତ କରିବା ନିମନ୍ତେ ଡେଲିଭରି ତାଲିମ ଓ ନିଯୁକ୍ତି କାର୍ଯ୍ୟକ୍ରମ ନାମକ ଏକ ସ୍ବତନ୍ତ୍ର ଅଭିଯାନର ଶୁଭାରମ୍ଭ କରାଯାଇଛି।
ଏପରିକି ଗୁରୁଗାଓଁରେ ଅନୁଷ୍ଠିତ ହେବାକୁ ଥିବା ଏକ ୫ ସପ୍ତାହ ବିଶିଷ୍ଟ ତାଲିମ କାର୍ଯ୍ୟକ୍ରମ ପାଇଁ ପ୍ରାର୍ଥୀ ଚୟନ କରିବା ନିମନ୍ତେ ଚଳିତ ବର୍ଷ ଫେବୃୟାରୀ ୧୯ରେ କମ୍ପାନୀ ପକ୍ଷରୁ ଗଙ୍ଗାନଗର, ଉଜ୍ଜୟିନୀ, କୁରୁର, ପୁରୁଲିଆ ଓ ଶ୍ରୀନଗର ଭଳି ୨୫ଟି ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରରେ ଏକ ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷା ଆୟୋଜନ କରାଯାଉଛି।
ଏ ସମ୍ପର୍କରେ ଡେଲିଭରିର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ପୂଜା ଗୁପ୍ତା କହିଛନ୍ତି, ସାରା ଭାରତରେ ଥିବା ପ୍ରତିଭାବାନ୍ଙ୍କ ସହ ଯୋଡ଼ିହେବା ଲାଗି ଆମର ରହିଥିବା ଦୀର୍ଘମିଆଦୀ ଲକ୍ଷ୍ୟ ଅନୁସାରେ ଏହି ଅଭିଯାନ ପ୍ରସ୍ତୁତ ହୋଇଛି। ଆମେ ନିଯୁକ୍ତି ହେବାକୁ ଥିବା ପ୍ରଥମ ବ୍ୟାଚ୍କୁ ସ୍ବାଗତ କରିବା ଏବଂ ଡେଲିଭରିରେ ସେମାନଙ୍କ ଅଭିବୃଦ୍ଧି ଓ ସଫଳତାରେ ନିବେଶ କରିବାକୁ ଚାହିଁ ରହିଛୁ।