Categories: ବାଣିଜ୍ୟ

ଗ୍ରୀଡ୍‌କୋ ଲିମିଟେଡ୍‌ର ‘ଗୋ ଗ୍ରୀନ୍‌’ପୋର୍ଟାଲର ଲୋକାର୍ପଣ

ଭୁବନେଶ୍ୱର,୮। ୧୦:  ରାଜ୍ୟର ପ୍ରମୁଖ କର୍ପୋରେଶନ ତଥା ଗ୍ରୀଡ୍‌କୋ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଗୋ ଗ୍ରୀନ୍‌’ପୋର୍ଟାଲର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଓଡ଼ିଶା ସରକାରଙ୍କ ସବୁଜ ଶକ୍ତିର ବହୁଳ ଉତ୍ପାଦନ କାର୍ଯ୍ୟକ୍ରମକୁ ତ୍ୱରାନ୍ବିତ କରିବା ଦିଗରେ ଅନ୍ୟତମ ପ୍ରୟାସ ସ୍ବରୂପ ଉକ୍ତ ପୋର୍ଟାଲ ଇତିମଧ୍ୟରେ ଲୋକାର୍ପିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଗ୍ରୀଡ୍‌କୋର ଅଧ୍ୟକ୍ଷ ନିକୁଞ୍ଜ ଧଳ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉକ୍ତ ପୋର୍ଟାଲକୁ ଲୋକାର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟର ସର୍ବୋଚ୍ଚ ଯନ୍ତ୍ରୀ (ବୈଦ୍ୟୁତିକ) ତଥା ପ୍ରମୁଖ ମୁଖ୍ୟ ବିଦ୍ୟୁତ୍‌ ନିରୀକ୍ଷକ, ଓପିଜ୍‌ିସିର ପରିଚାଳନା ନିର୍ଦ୍ଦେଶକ, ବିଦ୍ୟୁତ୍‌ ନିୟାମକ ଆୟୋଗର ନିର୍ଦ୍ଦେଶକ, ଏସ୍‌ଏଲ୍‌ଡିସିର ନିର୍ଦ୍ଦେଶକ, ଗ୍ରୀଡ୍‌କୋର ପରିଚାଳନା ନିର୍ଦ୍ଦେଶକଙ୍କ ସମେତ ଗ୍ରୀଡ୍‌କୋର ସମସ୍ତ ନିର୍ଦ୍ଦେଶକ,ଓରେଡାର ମୁଖ୍ୟ କାର୍ଯ୍ୟନିର୍ବାହୀ, ଟିପିସିଓଡିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଏବଂ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଧଳ କହିଥିଲ, ଅକ୍ଷୟ ଶକ୍ତି ବିକାଶକାରୀଙ୍କ ପାଇଁ ଉକ୍ତ ପୋର୍ଟାଲ ଅତ୍ୟନ୍ତ ଉପଯୋଗୀ ଏବଂ ସେମାନଙ୍କ ପ୍ରକଳ୍ପଗୁଡିକ ତୁରନ୍ତ ମଞ୍ଜୁର ହେବା ଦିଗରେ ଏହା ବେଶ୍‌ ସହାୟକ ହେବ। ଏଥିସହ ଉକ୍ତ ପୋର୍ଟାଲ ଅକ୍ଷୟ ଶକ୍ତି ପ୍ରକଳ୍ପଗୁଡିକର ଅନୁମୋଦନ ଲାଗି ଆବଶ୍ୟକ ପ୍ରକ୍ରିୟାର ନିରୀକ୍ଷଣକୁ ମଧ୍ୟ ଅଧିକ ପ୍ରଭାବଶାଳୀ କରିବ। ଏତଦ୍‌ବ୍ୟତୀତ, ଉକ୍ତ ପୋର୍ଟାଲ ଅକ୍ଷୟ ଶକ୍ତି ପ୍ରକଳ୍ପଗୁଡିକର ସମୀକ୍ଷା ଏବଂ ଅନୁମୋଦନ ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ସହ ପ୍ରକଳ୍ପ ପଞ୍ଜୀକରଣ, ଟ୍ରାକିଂ ଏବଂ ଯୋଗାଯୋଗ ପାଇଁ ମଧ୍ୟ ଏକ ନିରାପଦ ତଥା ଦକ୍ଷ ମାଧ୍ୟମ ଭାବେ କାର୍ଯ୍ୟ କରିବ। ବିଶେଷକରି ଏହା ସାମଗ୍ରିକ ଭାବେ ରାଜ୍ୟରେ ଅକ୍ଷୟ ଶକ୍ତି ପ୍ରକଳ୍ପର ବିକାଶ,କାର୍ଯ୍ୟାନ୍ବୟନ ଏବଂ ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ଏକ ବଳିଷ୍ଠ ମାଧ୍ୟମ ରୂପେ କାର୍ଯ୍ୟ କରିବ। ଅପରପକ୍ଷରେ ଓଡ଼ିଶା ଅକ୍ଷୟ ଶକ୍ତି ନୀତି-୨୦୨୨ର ଆବଶ୍ୟକତା ଅନୁଯାୟୀ, ଗ୍ରୀଡ୍‌କୋ ଦ୍ୱାରା ବିକଶିତ ଏହି ଓ୍ବେବ୍‌ ପୋର୍ଟାଲ, ରାଜ୍ୟରେ ଅକ୍ଷୟ ଶକ୍ତିର ବିକାଶକୁ ତ୍ୱରାନ୍ବିତ କରିବା ପାଇଁ ଉଦ୍ଦିଷ୍ଟ ରହିଛି। ଏପରିକି ଅକ୍ଷୟ ଶକ୍ତି ବିକାଶକାରୀଙ୍କ ପାଇଁ ଏହା ଏକ ସିଙ୍ଗଲ ଓ୍ବିଣ୍ଡୋ ପ୍ଲାଟ୍‌ଫର୍ମ ଭାବେ କାର୍ଯ୍ୟ କରିବ ବୋଲି ଗ୍ରୀଡ୍‌କୋ ପକ୍ଷରୁ କୁହାଯାଇଛି।

Share