Categories: ବାଣିଜ୍ୟ

ମିଲେଟ୍‌ ଇନୋଭେଶନ ଚ୍ୟାଲେଞ୍ଜର ଶୁଭାରମ୍ଭ

ଭୁବନେଶ୍ୱର,୯।୧୧: ଓଡ଼ିଶା ସରକାର ଓ ଷ୍ଟାର୍ଟଅପ୍‌ ଓଡ଼ିଶା ମଧ୍ୟରେ ବିଭିନ୍ନ ପ୍ରକଳ୍ପକୁ ନେଇ ଭିନ୍ନ ଭିନ୍ନ ପଦକ୍ଷେପ ନିଆଯାଇଛି। ମିଲେଟ ଉଦ୍ୟୋଗକୁ ଅଧିକ ପ୍ରସାରିତ ଓ ସଶକ୍ତ କରିବା ନେଇ ଷ୍ଟାର୍ଟଅପ୍‌ ଓଡ଼ିଶା ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରୁଛି। ମିଲେଟ ଇନୋଭେଶନ ଚ୍ୟାଲେଞ୍ଜର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି।
ଏ ସମ୍ପର୍କରେ ଷ୍ଟାର୍ଟଅପ୍‌ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡ. ଓମ୍‌କାର ରାୟ କହିଛନ୍ତି, ନବସୃଜନ ବିକାଶ ଦିଗରେ ମିଲେଟ ଇନୋଭେଶନ ଚ୍ୟାଲେଞ୍ଜର ଶୁଭାରମ୍ଭ କରାଯାଇଛି। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସହ ପରିବର୍ତ୍ତିତ ଯାତ୍ରାର ଆରମ୍ଭକୁ ଚିହ୍ନଟ କରିବାକୁ ଉଭୟ ସରକାର ଓ ଷ୍ଟାର୍ଟଅପ ୍‌ଓଡ଼ିଶା ପ୍ରତିଶ୍ରୁତିବଦ୍ଧ ହୋଇଥିବାବେଳେ ଖାଦ୍ୟ ନିରାପତ୍ତା, ସ୍ଥାନୀୟ ଗୋଷ୍ଠୀକୁ ସଶକ୍ତୀକରଣ ଓ ଅର୍ଥନୈତିକ ଅଭିବୃଦ୍ଧିରେ ମିଲେଟଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରିବେ। ଆମେ ଅଭିନବତାକୁ ଗ୍ରହଣ କରି ଓଡ଼ିଶାର ଏକ ସ୍ଥାୟୀ ଓ ସମୃଦ୍ଧ ଭବିଷ୍ୟତ ଗଠନ ଲକ୍ଷ୍ୟରେ ଅଛୁ।
ସେହିଭଳି ଓଡ଼ିଶା ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗର ମୁଖ୍ୟ ସଚିବ ଡ. ଅରବିନ୍ଦ କୁମାର ପାଢୀ କହିଛନ୍ତି, ଷ୍ଟାର୍ଟଅପ୍‌ ଓଡ଼ିଶା ଦ୍ୱାରା ପରିଚାଳିତ ମିଲେଟ ଇନୋଭେଶନ ଚ୍ୟାଲେଞ୍ଜର ମୂଳ ଉଦ୍ଦେଶ୍ୟ ହେଉଛି, ମିଲେଟର ଅପାର ସମ୍ଭାବନାକୁ ଚିହ୍ନଟ କରିବା। ଅପରପକ୍ଷରେ ଏହାର ଆବେଦନ ସମୟ ସୀମା ୨୦୨୩ ନଭେମ୍ବର ୫ ପାଇଁ ଧାର୍ଯ୍ୟ କରାଯାଇଥିଲା ହେଲେ ପରବର୍ତ୍ତୀ ସମୟରେ ଉକ୍ତ ସମୟ ସୀମାକୁ ୨୦୨୩ ନଭେମ୍ବର ୭ କରାଯାଇଥିଲା। ୨୦୨୩ ନଭେମ୍ବର ୩ରେ ପ୍ରଥମ ରାଉଣ୍ଡ ପିଚ୍‌ ଉପସ୍ଥାପନା କରାଯାଇଥିଲା। ଅନ୍ତର୍ଜାତୀୟ ମିଲେଟରେ ଅନ୍ତିମ ପିଚ୍‌ ଇଭେଣ୍ଟ ସହ ପ୍ରଥମ ରାଉଣ୍ଡର ବିଜେତାମାନଙ୍କ ନାମ ୨୦୨୩ ନଭେମ୍ବର ୮ରେ ଘୋଷଣା କରାଯିବ। ୨୦୨୩ ନଭେମ୍ବର ୧୦ରେ ଅନ୍ତିମ ପିଚ୍‌ ଇଭେଣ୍ଟ ଅନୁଷ୍ଠିତ ହେବ। ସେହିଦିନ ଶ୍ରେଷ୍ଠ ୩ ବିଜେତାଙ୍କୁ ପୁରସ୍କାର ପ୍ରଦାନ ସହ ଚ୍ୟାଲେଞ୍ଜ ଶେଷ ହେବ। ଏପରିକି ଶ୍ରେଷ୍ଠ ୩ଟି ଷ୍ଟାର୍ଟଅପ୍‌କୁ ଯଥାକ୍ରମେ ୩ ଲକ୍ଷ, ୨ ଲକ୍ଷ ଓ ୧ଲକ୍ଷ ପୁରସ୍କାର ଦିଆଯିବ।

Share