ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ: ସ୍କୁଟର ପାଇଲେ ୧୫ ହଜାର ସଦସ୍ୟା

ଭୁବନେଶ୍ୱର,୧୧ା୧୦(ଅନିଲ ଦାସ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିଛନ୍ତି। ଲୋକସେବା ଭବନ କନ୍‌ଭେନଶନ ସେଣ୍ଟରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଉପସ୍ଥିତ ସ୍ବୟଂସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ କହିଛନ୍ତି ଯେ, ମହିଳା ସଶକ୍ତୀକରଣ କ୍ଷେତ୍ରରେ ଆଜି ଦିନଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇରହିବ। ମହିଳା ସଶକ୍ତୀକରଣ କ୍ଷେତ୍ରରେ ଆଜି ଆମେ ଆଉ ଏକ ପାଦ ଆଗକୁ ଆସିଛୁ। ମିଶନ ଶକ୍ତି ମା’ମାନଙ୍କୁ ସ୍କୁଟର କିଣିବା ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେଉଛୁ। ସେମାନଙ୍କର ଏହି ଋଣ ବାବଦକୁ ରାଜ୍ୟ ସରକାର ୫୨୮ କୋଟି ଟଙ୍କାର ସୁଧ ଦେବେ। ଏହି ଯୋଜନାରେ ୨ ଲକ୍ଷରୁ ଅଧିକ ସ୍ବୟଂସହାୟକ ଗୋଷ୍ଠୀର ସଦସ୍ୟାମାନେ ସ୍କୁଟର ପାଇବେ। ଯୋଜନାର ଶୁଭାରମ୍ଭ ଅବସରରେ ୧୫ ହଜାର ସଦସ୍ୟାଙ୍କୁ ସ୍କୁଟର ଦିଆଯାଇଛି। ଗତି ହିଁ ଶକ୍ତି। ଗତି ହିଁ ସଶକ୍ତୀକରଣ। ସ୍କୁଟର ଯୋଜନା ମା’ମାନଙ୍କ ଯାତାୟାତକୁ ସୁଗମ କରିବ। ବୃତ୍ତିଗତ କ୍ଷେତ୍ରରେ ମଧ୍ୟ ନୂଆ ସୁଯୋଗ ଆଣିବ। ମା’ମାନେ ବହୁତ ଭଲ କାମ କରୁଛନ୍ତି। ମୋର ପୂରା ବିଶ୍ୱାସ ମା’ମାନେ ଏବେ ଆହୁରି ଭଲ କାମ କରିବେ। ୭୦ ଲକ୍ଷ ସଦସ୍ୟମାନଙ୍କ ନିଜର ଅନୁଷ୍ଠାନ ମିଶନ ଶକ୍ତି ଆହୁରି ମଜଭୁତ ହେବ। ମା’ମାନଙ୍କ ଗତିଶୀଳତା ଓଡ଼ିଶାର ପ୍ରଗତିକୁ ନୂଆ ବେଗ ଦେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Share