Categories: ବାଣିଜ୍ୟ

ବେଦାନ୍ତ ପକ୍ଷରୁ ଅନ୍‌ଲାଇନ ଗ୍ୟାଲେରିର ଶୁଭାରମ୍ଭ

ଭୁବନେଶ୍ୱର,୨୦।୪: ବେଦାନ୍ତ ଆଲୁମିନିୟମ ପକ୍ଷରୁ ବିଶ୍ୱ ଐତିହ୍ୟ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର କାର୍ଯ୍ୟକ୍ଷେତ୍ର ଅଞ୍ଚଳଗୁଡ଼ିକରେ ବସବାସ କରୁଥିବା ଗୋଷ୍ଠୀର କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏକ ଅନ୍‌ଲାଇନ ଗ୍ୟାଲେରିର ଶୁଭାରମ୍ଭ କମ୍ପାନୀ ୱେବ୍‌ସାଇଟ ଜରିଆରେ କରାଯାଇଛି।
ଏ ସମ୍ପର୍କରେ ବେଦାନ୍ତ ଲିମିଟେଡ୍‌ର ସିଇଓ (ଆଲୁମିନିୟମ ବିଜ୍‌ନେସ) ରାହୁଲ ଶର୍ମା କହିଛନ୍ତି, ସ୍ଥାନୀୟ ହସ୍ତଶିଳ୍ପର ବିକାଶ ଲାଗି ଆମେ ଅନ୍‌ଲାଇନ ଗ୍ୟାଲେରିର ଶୁଭାରମ୍ଭ କରିଛୁ। ବିଶେଷକରି ଡୋକ୍ରା ଓ ସଉରା ପରି ସମୃଦ୍ଧ କଳାକୃତି ଆମ ଐତିହ୍ୟର ଏକ ବଳିଷ୍ଠ ପ୍ରମାଣ। ଏପରିକି ଆମେ ଏକ ଇକୋସିଷ୍ଟମ ଜରିଆରେ ସେମାନଙ୍କୁ ପ୍ରୋତ୍ସାହିତ କରି ଆସୁଛୁ।
ଅପରପକ୍ଷରେ ଓଡ଼ିଶା ଗ୍ରାମୀଣ ବିକାଶ ଓ ମାର୍କେଟିଂ ସୋସାଇଟି (ଓର୍‌ମାସ) ମାଧ୍ୟମରେ ରାଜ୍ୟ ସରକାରଙ୍କ ସହ କାର୍ଯ୍ୟ କରି ବେଦାନ୍ତ ଆଲୁମିନିୟମ ଡୋକ୍ରା ଓ ସଉରା କଳାକାରମାନଙ୍କୁ ସରକାରୀ ପ୍ରାୟୋଜିତ ଗ୍ୟାଲେରି ଓ ପ୍ରଦର୍ଶନୀରେ ସେମାନଙ୍କ ଉପତ୍ାଦର ପ୍ରଦର୍ଶନୀ କରୁଛି। ଏପରିକି ସରକାରୀ ସହାୟତା କଳାକାରମାନଙ୍କୁ ଯୋଗାଇ ଦିଆଯାଉଛି। ସେହିଭଳି ଛତିଶଗଡ଼ରେ ବେଦାନ୍ତ ଆଲୁମିନିୟମ ଗ୍ରାମୀଣ ମହିଳାମାନଙ୍କ ମଧ୍ୟରେ ଥିବା ମୂର୍ତ୍ତିକଳା କାରିଗରଙ୍କୁ ସହାୟତା ଯୋଗାଉଛି। ଉଲ୍ଲେଖଯୋଗ୍ୟ, ଡୋକ୍ରା ହେଉଛି ଏକ ସୂକ୍ଷ୍ମ ଧାତୁ କଳା, ଯାହା ସିନ୍ଧୁ ଉପତ୍ୟକା ସଭ୍ୟତାର ନିଦର୍ଶନ ଓ ପ୍ରାୟ ୫୦୦୦ ବର୍ଷ ପୂର୍ବେ ଏହି କଳା ଭାରତର ପ୍ରାଚୀନ ଶିଳ୍ପ କଳାର ନିଦର୍ଶନ। ଏହା କଳାହାଣ୍ଡି ଜିଲା କାଙ୍କେରୀ ଗ୍ରାମରେ ଜୀବିତ। ଏଠାକାର ବହୁ କାରିଗର ସେମାନଙ୍କ କଳା ଶିଳ୍ପର ପ୍ରକୃତ ପ୍ରୋତ୍ସାହନ ନ ପାଇ କାମଧନ୍ଦା ଅନ୍ବେଷଣରେ ବାହାରକୁ ଚାଲିଯାଉଥିଲେ। ଏଠାରେ ଏହି ଶିଳ୍ପକୁ ପୁନର୍ଜୀବିତ କରିବା ଲାଗି ବେଦାନ୍ତ ଆଲୁମିନିୟମ ପାରମ୍ପରିକ ଶୈଳୀ ବ୍ୟବହାରକରି ସମସାମୟିକ ଡିଜାଇନ ତାଲିମ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲା। ପ୍ରଥମରୁ ଏହିସବୁ ଶିଳ୍ପୀ ପ୍ରାକୃତିକ ଉପାଦାନରୁ କଳା ଶିଳ୍ପ ପ୍ରସ୍ତୁତ କରୁଥିଲେ ଏବଂ ସେମାନେ ପ୍ରକୃତିର ଉପାଦାନ, ଦେବତା ଓ ପୂର୍ବପୁରୁଷମାନଙ୍କୁ କଳା ମାଧ୍ୟମରେ ଚିତ୍ରିତ କରୁଥିଲେ। ଏହି ପ୍ରାଚୀନ କଳା ରୂପକୁ ବଞ୍ଚାଇ ରଖିବା ଲାଗି ବେଦାନ୍ତ ସ୍ଥାନୀୟ କଳାକାରମାନଙ୍କ ଦକ୍ଷତା ବୃଦ୍ଧି, ପାରିଶ୍ରମିକ, ବଜାର ଚାହିଦା ପାଇଁ ଆବଶ୍ୟକ କାର୍ଯ୍ୟ କରୁଛି। ବିଶେଷକରି ସ୍କୁଲ ଛାତ୍ରୀଛାତ୍ରମାନଙ୍କ ପାଇଁ ସଉରା କଳା ଉପରେ ସ୍ବତନ୍ତ୍ର ପାଠ୍ୟକ୍ରମ ମଧ୍ୟ ପ୍ରଦାନ କରାଯାଉଛି।

Share