‘ଅପର୍ଚୁନିଟିଜ୍‌ ଆଣ୍ଡ୍‌ ଚ୍ୟାଲେଞ୍ଜସ୍‌ ଇନ୍‌ ରିଜିଓନାଲ ମିଡିଆ’ କାର୍ଯ୍ୟକ୍ରମ ଆରମ୍ଭ: ଯୋଗଦେଲେ ବିଶିଷ୍ଟ ସାମ୍ବାଦିକ

ଭୁବନେଶ୍ୱର,୨୬।୧୦: ଭୁବନେଶ୍ୱରରେ ପ୍ରେସ୍‌ କ୍ଲବ୍‌ରେ ଶନିବାର ‘ଅପର୍ଚୁନିଟିଜ୍‌ ଆଣ୍ଡ୍‌ ଚ୍ୟାଲେଞ୍ଜସ୍‌ ଇନ୍‌ ରିଜିଓନାଲ ମିଡିଆ’ ଶୀର୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏଡିଟର୍ସ ଗିଲ୍ଡ ଅଫ୍‌ ଇଣ୍ଡିଆ (ଇଜିଆଇ) ଏବଂ ପ୍ରେସ୍‌ କ୍ଲବ୍‌ ଅଫ୍‌ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଏହି କନ୍‌କ୍ଲେଭ୍‌ ଅବସରରେ ଦେଶର ବିଶିଷ୍ଠ ସାମ୍ବାଦିକ ଯୋଗଦେଇ ଛାପା ଗଣମାଧ୍ୟମ ଓ ସାମ୍ବାଦିକତାର ଭବିଷ୍ୟତ ଉପରେ ଆଲୋଚନା କରିଛନ୍ତି।

ଏହି ଅବସରରେ ପ୍ରେସ କ୍ଲବ୍‌ର ସଭାପତି ତଥାଗତ ସତପଥୀ, ଦ ହିନ୍ଦୁର ପୂର୍ବତନ ସମ୍ପାଦକ ଏନ୍‌.ରାମ, ସମାଜର ସମ୍ପାଦକ ତପନ ମିଶ୍ର, ସମ୍ବାଦ ସମ୍ପାଦକ ତନୟା ପଟ୍ଟନାୟକ, ପ୍ରମେୟ ସମ୍ପାଦକ ଗୋପାଳ ମହାପାତ୍ରଙ୍କ ସମେତ ଅ୍ୟାନ୍ୟ ପ୍ରମୁଖ ମିଡିଆର ସମ୍ପାଦକ ଉପସ୍ଥିତ ଅଛନ୍ତି।

ଏଡିଟର୍ସ ଗିଲ୍ଡ ଅଫ୍‌ ଇଣ୍ଡିଆର ଉପସ୍ଥିତି ସାରା ଦେଶରେ ବ୍ୟାପକ କରିବା ସହ ଏହାକୁ ଏକ ଦିଲ୍ଲୀକୈନ୍ଦ୍ରିକ ସଂସ୍ଥା ବୋଲି ରହିଥିବା ଲୋକଙ୍କ ଧାରଣାକୁ ଦୂର କରିବା ଉଦ୍ଦେଶ୍ୟରେ ଇଜିଆଇ ଭୁବନେଶ୍ୱରରେ ଏହି କନ୍‌କ୍ଲେଭ୍‌ର ଆୟୋଜନ କରିଛି। ସମଗ୍ର ଦେଶର ସମ୍ପାଦକମାନଙ୍କ ପ୍ରତିନିଧିତ୍ୱ ହେଉଛି ସଂଗଠନର ଉଦ୍ଦେଶ୍ୟ। ଖବରଦାତାମାନଙ୍କ ଅଧିକାର ଓ ଗଣମାଧ୍ୟମର ସ୍ବାଧୀନତାକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଇଜିଆଇ ଏହାର ପରିସର ବୃଦ୍ଧିକୁ ଗୁରୁତ୍ୱ ଦେଇଆସୁଛି। ବିଶେଷକରି ଆଞ୍ଚଳିକ ଗଣମାଧ୍ୟମର ସାମ୍ବାଦିକମାନେ ସମ୍ମୁଖୀନ ହେଉଥିବା ଆହ୍ବାନଗୁଡ଼ିକୁ ହୃଦୟଙ୍ଗମ କରି ସେସବୁର ସମାଧାନ ଦିଗରେ ପ୍ରୟାସ କରିବା ଏହି କନ୍‌କ୍ଲେଭ୍‌ ଆୟୋଜନର ଲକ୍ଷ୍ୟ।

Share