Categories: ବାଣିଜ୍ୟ

‘ପ୍ରାଇଡ୍‌ ଆଣ୍ଡ୍‌ ପ୍ରିଭିଲେଜ୍‌’ କାର୍ଡର ଶୁଭାରମ୍ଭ

ଭୁବନେଶ୍ୱର,୨୯।୪: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ଏଚ୍‌ସିଜି ପଣ୍ଡା କ୍ୟାନ୍‌ସର ହସ୍ପିଟାଲ ପକ୍ଷରୁ ‘ଏଚ୍‌ସିଜି ପ୍ରାଇଡ୍‌ ଆଣ୍ଡ ପ୍ରିଭିଲେଜ୍‌ କାର୍ଡ’ର ଶୁଭାରମ୍ଭ କରାଯାଇଛି। ବିଶେଷକରି କିନ୍ନର ଗୋଷ୍ଠୀଙ୍କୁ ନିରବଚ୍ଛିନ୍ନ କ୍ୟାନ୍‌ସର କେୟାର ପ୍ରଦାନ କରିବା ଲାଗି ଏଭଳି ଏକ କାର୍ଡ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରଠାରେ ଏକ ସ୍ବତନ୍ତ୍ର ସମାରୋହର ଆୟୋଜନ କରାଯାଇଥିଲା। ଏହି ଅବସରରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପର୍ଯ୍ୟଟନ ନିଗମର ଅଧ୍ୟକ୍ଷ ଲେଲିନ୍‌ ମହାନ୍ତି, ବଲିଉଡ୍‌ ଅଭିନେତ୍ରୀ ସ୍ବପ୍ନା ପତି, ଓଲିଉଡ୍‌ ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର, ସକାଳର ପ୍ରକାଶକ ଅମିତ ମଲ୍ଲିକ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ଏଚ୍‌ସିଜି ହସ୍ପିଟାଲ୍ସର ଆଞ୍ଚଳିକ ବ୍ୟବସାୟ-ପୂର୍ବ ଓ ଏପି ମୁଖ୍ୟ ପ୍ରତୀକ ଜୈନ କହିଛନ୍ତି, ଏଚ୍‌ସିଜି ପଣ୍ଡା କ୍ୟାନ୍‌ସର ହସ୍ପିଟାଲ କଟକ ଜରିଆରେ ଏଚ୍‌ସିଜି ପ୍ରାଇଡ୍‌ ଆଣ୍ଡ୍‌ ପ୍ରିଭିଲେଜ୍‌ କାର୍ଡ ଉନ୍ମୋଚନକରି ଆମେ ବେଶ୍‌ ଉତ୍ସାହିତ ଅଛୁ। ସେହିଭଳି ଏଚ୍‌ସିଜି ପଣ୍ଡା କ୍ୟାନ୍‌ସର ହସ୍ପିଟାଲର ମେଡିକାଲ ଡାଇରେକ୍ଟର ଡା. କୃପାସିନ୍ଧୁ ପଣ୍ଡା କହିଛନ୍ତି, ସ୍ବାସ୍ଥ୍ୟସେବା ପେସାଦାର ଭାବେ ଜଣଙ୍କ ଲିଙ୍ଗ, ଜାତି କିମ୍ବା ଯୌନ ଆକର୍ଷଣର ବାଛବିଚାର ନ କରି ଆମେ ନିଶ୍ଚିତ ରୂପେ ଶ୍ରେଷ୍ଠ ମାନର ଚିକିତ୍ସା ପ୍ରଦାନ କରିବା ଦରକାର। ସେହିପରି ହସ୍ପିଟାଲର ଚିଫ୍‌ ଅପରେଟିଂ ଅଫିସର ଶାନ୍ତନୁ ଦାସ କହିଛନ୍ତି, କିନ୍ନର ଗୋଷ୍ଠୀଙ୍କ ଜେନେଟିକ୍‌ ଗଠନଶୈଳୀ ଓ ଜୀବନଶୈଳୀ ଦୃଷ୍ଟିରୁ ସେମାନେ କ୍ୟାନ୍‌ସର ସମେତ ସାମ୍ନା କରୁଥିବା ସ୍ବାସ୍ଥ୍ୟ ସମସ୍ୟା ଲାଗି ସ୍ବତନ୍ତ୍ର ଯତ୍ନ ଦରକାର। ସାମାଜକ କର୍ମୀ ମୀରା ପରିଡ଼ା କହିଛନ୍ତି, ଓଡ଼ିଶାର କିନ୍ନର ଗୋଷ୍ଠୀଙ୍କୁ ସେବା ପ୍ରଦାନ କରିବା ଲାଗି ଏଚ୍‌ସିଜି ସେବାର ସମ୍ପ୍ରସାରଣକୁ ଦେଖି ମୁଁ ଆନନ୍ଦିତ। ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି, ଓଡ଼ିଶାରେ କିନ୍ନର ଗୋଷ୍ଠୀଙ୍କୁ କ୍ୟାନ୍‌ସର ସେବା ପ୍ରଦାନ କରିବାରେ ଏଚ୍‌ସିଜି ଗ୍ରହଣ କରିଥିବା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ମୁଁ ପ୍ରଶଂସା କରୁଛି।

Share