Categories: ବାଣିଜ୍ୟ

ପ୍ରୋଜେକ୍ଟ ‘ସ୍ପର୍ଶ’ର ଶୁଭାରମ୍ଭ

ଭୁବନେଶ୍ୱର,୧୭।୮ (ଅଭୟ ଦାଶ): ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସ୍‌ପି) ର ସାମାଜିକ ଅନୁଷ୍ଠାନ ଜେଏସ୍‌ପି ଫାଉଣ୍ଡେଶନ ଏବଂ ଅନୁଗୋଳ ଜିଲା ପ୍ରଶାସନ ସହଭାଗିତାରେ ପ୍ରୋଜେକ୍ଟ ‘ସ୍ପର୍ଶ’ର ଆନୁଷ୍ଠାନିକ ଶୁଭାରମ୍ଭ କରାଯାଇଛି। ବିଶେଷକରି ଜିଲାରେ ଶିଶୁ ମୃତ୍ୟୁ ହାର ଏବଂ ମାତୃ ମୃତ୍ୟୁ ହାର ହ୍ରାସ କରିବା ପାଇଁ ଉକ୍ତ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୩ ଅଗଷ୍ଟ ୧୫ରେ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ ରାଜ୍ୟ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ ଉକ୍ତ ପ୍ରକଳ୍ପକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିବା ସହିତ ଜିଲାର ୨୦୦ସ୍ବାସ୍ଥ୍ୟ ଉପକେନ୍ଦ୍ରର ଏଏନ୍‌ଏମ୍‌ମାନଙ୍କୁ ଡିଜିଟାଲ ଡାଇଗ୍ନୋଷ୍ଟିକ କିଟ୍‌ ପ୍ରଦାନ କରିଥିଲେ।

ଉକ୍ତ ସମାରୋହରେ ଅନୁଗୋଳ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲା ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନଙ୍କ ସମେତ ଜେଏସ୍‌ପିର ପ୍ରେସିଡେଣ୍ଟ ତଥା ଗ୍ରୁପ୍‌ ହେଡ୍‌ (ସିଏସ୍‌ଆର୍‌) ପ୍ରଶାନ୍ତ ହୋତା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ଅବସରରେ ମନ୍ତ୍ରୀ ଦେବ ଅନୁଗୋଳ ଜିଲାରେ ଏଭଳି ଏକ ଅଭିନବ ପ୍ରକଳ୍ପର ଶୁଭାରମ୍ଭ ସହ ଆବଶ୍ୟକ ସହଯୋଗ ପାଇଁ ଜେଏସ୍‌ପିର ଚେୟାରମ୍ୟାନ୍‌ ନବୀନ ଜିନ୍ଦଲ ଏବଂ ଜେଏସ୍‌ପି ଫାଉଣ୍ଡେଶନର ଚେୟାରପର୍ସନ୍‌ ଶାଲୁ ଜିନ୍ଦଲଙ୍କୁ ପ୍ରଶଂସା କରିଥିଲେ।

ଅପରପକ୍ଷରେ ଉକ୍ତ ପ୍ରକଳ୍ପ ପରିକଳ୍ପନାରେ ଜିଲାପାଳ ସ୍ବାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସେ ମଧ୍ୟ ପ୍ରକଳ୍ପର ବିଭିନ୍ନ ଦିଗ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ। ସେହିଭଳି ଜିଲା ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ଓ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ ଉକ୍ତ ପ୍ରକଳ୍ପର ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ। ସେହିପରି ଜେଏସ୍‌ପିର ପ୍ରେସିଡେଣ୍ଟ ତଥା ଗ୍ରୁପ୍‌ ହେଡ୍‌ (ସିଏସ୍‌ଆର୍‌) ପ୍ରଶାନ୍ତ ହୋତା କହିଥିଲେ,ଏହି ପଦକ୍ଷେପ ଅନୁଗୋଳ ଜିଲାରେ ବିପଦପୂର୍ଣ୍ଣ ଗର୍ଭଧାରଣ ସମସ୍ୟାର ସମାଧାନ ସହିତ ଆବଶ୍ୟକ ଚିକିତ୍ସା କରିବା ଏବଂ ସ୍ତନ୍ୟପାନ କରାଉଥିବା ମା’ମାନଙ୍କୁ ସହାୟତା କରିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଛି। ଏପରିକି ତୃଣମୂଳସ୍ତରର ସ୍ବାସ୍ଥ୍ୟକର୍ମୀଙ୍କୁ ସଶକ୍ତୀକରଣ ତଥା ତାଲିମ ଦେବା ସହିତ ଲୋକଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ପାଇଁ ଇଣ୍ଟରନେଟ୍‌ ଅଫ୍‌ ଥିଙ୍ଗସ୍‌ (ଆଇଓଟି) ପରି ଉନ୍ନତ ଡିଜିଟାଲ ଜ୍ଞାନକୌଶଳକୁ ମଧ୍ୟ ବ୍ୟବହାର କରୁଛୁ।

Share