ଚନ୍ଦ୍ରକୁ ରକେଟ୍‌ ଉତ୍‌କ୍ଷେପଣ ସ୍ଥଗିତ

ଓ୍ବାଶିଂଟନ୍‌, ୩୦ା୮:ଆମେରିକାର ସ୍ପେସ୍‌ ଏଜେନ୍ସି ନାସା ସୋମବାର ଚନ୍ଦ୍ରକୁ ସବୁଠୁ ଶକ୍ତିଶାଳୀ ରକେଟ୍‌ ଉତ୍‌କ୍ଷେପଣ ନିମନ୍ତେ ହୋଇଥିବା ଯୋଜନାକୁ ସ୍ଥଗିତ ରଖିଛି। ଦୁଇ ପର୍ଯ୍ୟାୟର ସ୍ପେସ୍‌ ଲଞ୍ଚ୍‌ ସିଷ୍ଟମ୍‌ (ଏସ୍‌ଏଲ୍‌ଏସ୍‌) ଇଞ୍ଜିନ୍‌ରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ଏହି କାର୍ଯ୍ୟକ୍ରମ ଅଟକା ଯାଇଥିବା ନାସା ପକ୍ଷରୁ କୁହାଯାଇଛି। ଆସନ୍ତା ୨ ତାରିଖରେ ଏହାର ପୁନଃ ଉତ୍‌କ୍ଷେପଣ ପ୍ରସ୍ତୁତି କରାଯିବ। ନାସା ଚନ୍ଦ୍ରକୁ ପଠାଇବାକୁ ଥିବା ଏହି ରକେଟ୍‌ ସବୁଠୁ ଶକ୍ତିଶାଳୀ। ଏହା ନାସାର ଆର୍ଟେମିସ୍‌ ମିଶନର ଏକ ଅଂଶ। ଆପୋଲୋ ମିଶନର ୫୦ ବର୍ଷ ପରେ ପୁଣି ଥରେ ମନୁଷ୍ୟକୁ ଚନ୍ଦ୍ରକୁ ପଠାଇବା ପାଇଁ ପ୍ରସ୍ତୁତି ଚାଲିଛି। ଏହି ରକେଟ୍‌ ସ୍ଥାନୀୟ ସମୟ ସକାଳ ପ୍ରାୟ ସାଢ଼େ ୮ଟାରେ ଆମେରିକାର ଫ୍ଲୋରିଡାସ୍ଥିତ କେନେଡି ସ୍ପେସ୍‌ ସେଣ୍ଟରରୁ ମହାକାଶକୁ ଉତ୍‌କ୍ଷେପଣ କରାଯିବାର ଥିଲା। ପ୍ରାୟ ୧୦୦ ମିଟର ଲମ୍ବର ଏସ୍‌ଏଲ୍‌ଏସ୍‌ ପୃଥିବୀଠାରୁ ବହୁ ଦୂରରେ ଓରିଅନ୍‌ ନାମକ ଏକ ଟେଷ୍ଟ-କ୍ୟାପସୁଲ୍‌ ଲଞ୍ଚ କରିବ। ପ୍ରାୟ ୬ ସପ୍ତାହ ଏହା ଚନ୍ଦ୍ର ଚାରିପଟେ ଘୂରିବା ପରେ ପୃଥିବୀକୁ ଫେରିବ। ଏହି ରକେଟର ପ୍ରଥମ ମିଶନ ମାନବରହିତ ହେବ। ଅର୍ଥାତ ଉକ୍ତ କ୍ୟାପ୍‌ସୁଲରେ କୌଣସି ମହାକାଶଚାରୀ ରହିବେ ନାହିଁ। ଏହି ମିଶନ ସଫଳ ହେଲେ ଭବିଷ୍ୟତରେ ମହାକାଶଚାରୀ ମାନେ ଚନ୍ଦ୍ରପୃଷ୍ଠକୁ ଯାଇପାରିବେ।

Share