କଟକ,୩।୧: ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ସୋମବାର ସ୍ଥାନୀୟ ବାଦାମବାଡ଼ିଠାରେ ଏକ ଅତ୍ୟାଧୁନିକ ଦକ୍ଷତା ବିକାଶ କେନ୍ଦ୍ର (ଏସ୍ଡିସି)ର ଶୁଭାରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟିପିସିଓଡିଏଲ୍ର ସିଇଓ ଏମ୍.ସେନ୍ବାଗମ୍, କଟକ ମେୟର ସୁବାସ ଚନ୍ଦ୍ର ସିଂହ, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳଙ୍କ ସମେତ ଟିପିସିଓଡିଏଲ୍ର ବହୁ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ଶକ୍ତିମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି, ଟିପିସିଓଡିଏଲ୍ର ଦ୍ୱିତୀୟ ଦକ୍ଷତା ବିକାଶ କେନ୍ଦ୍ର ଟିପିସିଓଡିଏଲ୍ର କର୍ମଚାରୀମାନଙ୍କ ଦକ୍ଷତାକୁ ଆହୁରି ବଢ଼ାଇବାରେ ସହାୟକ ହେବ ଏବଂ ଯେକୌଣସି ପ୍ରକାର ସ୍ଥିତିର ମୁକାବିଲା କରିବା ଲାଗି ସେମାନଙ୍କୁ ପ୍ରସ୍ତୁତ କରିବ ବୋଲି ମନ୍ତ୍ରୀ ଦେବ ମତପ୍ରକାଶ କରିଛନ୍ତି। ସେହିଭଳି ଟିପିସିଓଡିଏଲ୍ର ସିଇଓ ଏମ୍ ସେନ୍ବାଗମ୍ କହିଛନ୍ତି, କର୍ମଚାରୀମାନଙ୍କ ଦକ୍ଷତାରେ ଉନ୍ନତି ଆଣିବା ନିମନ୍ତେ ଏକ ପ୍ଲାଟ୍ଫର୍ମ ପ୍ରଦାନ କରିବା ଲାଗି ଆମର ରହିଥିବା ପ୍ରତିବଦ୍ଧତା ପ୍ରତି ସ୍ବୀକୃତି ସ୍ବରୂପ ଆମର ଦ୍ୱିତୀୟ କେନ୍ଦ୍ରକୁ ଉଦ୍ଘାଟନ କରାଯାଇଛି।