Categories: ବାଣିଜ୍ୟ

ବିଓବି ପକ୍ଷରୁ ଭିଡିଓ ରି-କେୱାଇସିର ଶୁଭାରମ୍ଭ

ଭୁବନେଶ୍ୱର,୨୬।୮: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଭିଡିଓ ରି-କେୱାଇସି’ର ଶୁଭାରମ୍ଭ କରାଯାଇଛି। ବିଶେଷ କରି ଉକ୍ତ ସୁବିଧା ଉଭୟ ଇଂରାଜୀ ଓ ହିନ୍ଦୀ ଭାଷାରେ ଉପଲବ୍ଧ। ଏପରିକି ଗ୍ରାହକମାନେ ଡିଜିଟାଲ ସେବା ମାଧ୍ୟମରେ ନିୟମିତ ବ୍ୟବଧାନରେ କେୱାଇସି (ଆପଣଙ୍କର ଗ୍ରାହକଙ୍କୁ ଜାଣନ୍ତୁ) ଅପ୍‌ଡେଟ୍‌ କରିପାରିବ। ସେହିଭଳି ଯେଉଁ ଗ୍ରାହକମାନଙ୍କର ରି-କେୱାଇସି ବକେୟା ରହିଛି, ସେମାନେ ମଧ୍ୟ ସେମାନଙ୍କର ଭିଡିଓ କେୱାଇସିକୁ ଶାଖାକୁ ପରିଦର୍ଶନ ନ କରି ଅଳ୍ପ କିଛି ମିନିଟ୍‌ରେ ସମାପ୍ତ କରିପାରିବେ। ବିଶେଷକରି ଭିଡିଓ କେୱାଇସି ସୁବିଧା ଉପଲବ୍ଧ କରିବା ପାଇଁ ଗ୍ରାହକମାନେ ଆବାସିକ ବ୍ୟକ୍ତିବିଶେଷ ହୋଇଥିବା ଉଚିତ ଏବଂ ସେମାନଙ୍କର ବୟସ ୧୮ ବର୍ଷରୁ ଅଧିକ ହେବା ସହ ଏକ ଆଧାର ନମ୍ବର ଓ ପାନ୍‌ କାର୍ଡ ରହିଥିବା ଜରୁରୀ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଏପରିକି ପ୍ରଥମ ପର୍ଯ୍ୟାୟରେ ଗ୍ରାହକଙ୍କୁ ବିଓବିର ୱେବ୍‌ସାଇଟକୁ ପରିଦର୍ଶନ କରିବାକୁ ହେବ ଓ କିଛି ସାଧାରଣ ସୂଚନାକୁ ଅନ୍‌ଲାଇନରେ ପ୍ରଦାନକରି ଅନ୍‌ଲାଇନ ରି-କେୱାଇସି ଆବେଦନକୁ ସମ୍ପୂର୍ଣ୍ଣ କରିବାକୁ ହେବ। ଅପରପକ୍ଷରେ ଥରେ ଅନ୍‌ଲାଇନ ଆବେଦନ ଦାଖଲ ହେବା ପରେ ବ୍ୟାଙ୍କ କର୍ମଚାରୀଙ୍କ ସହିତ ଭିଡିଓ କେୱାଇସି କଲ୍‌ କରାଯିବ। ଉକ୍ତ ଭିଡିଓ କଲ୍‌ ପାଇଁ ଗ୍ରାହକଙ୍କର ଏକ ଅରିଜିନାଲ୍‌ ପାନ୍‌ କାର୍ଡ ସହ ଏକ ସାଦା ଧଳା କାଗଜ ଓ କଳା/ନୀଳ ପେନ୍‌ ଆବଶ୍ୟକ ରହିଛି। ଭିଡିଓ ରି-କେୱାଇସିକୁ ବ୍ୟବସାୟ ନିର୍ଘଣ୍ଟ (ସକାଳ ୧୦.୦୦ଘ. ରୁ ସନ୍ଧ୍ୟା ୬.୦୦ ଘ.) ମଧ୍ୟରେ ସମସ୍ତ କାର୍ଯ୍ୟ ଦିବସରେ କରାଯିବ। ବିଶେଷକରି ଭିଡିଓ ସେସନର ସଫଳତାପୂର୍ବକ ସମାପ୍ତି ପରେ ଗ୍ରାହକଙ୍କ ସବିଶେଷକୁ ବ୍ୟାଙ୍କର ରେକର୍ଡରେ ଅପ୍‌ଡେଟ୍‌ କରାଯିବ ଓ ଏକ ସୁନିଶ୍ଚିତୀକରଣ ଟେକ୍ସଟ ମେସେଜ୍‌ ଗ୍ରାହକଙ୍କ ନିକଟକୁ ପଠାଯିବ। ଭିଡିଓ ରି-କେୱାଇସିର ଶୁଭାରମ୍ଭ ହେବା ଦ୍ୱାରା ରି-କେୱାଇସି ପ୍ରକ୍ରିୟା ବହୁ ସରଳ ଓ ସୁବିଧାଜନକ ହୋଇଛି ଓ ଗ୍ରାହକ ଅନୁଭୂତିରେ ଅନେକ ପରିବର୍ତ୍ତନ ଆଣିଛି।

Share