ମଝିରେ ଅଟକିଗଲା ଲଞ୍ଚ: ୨୫ ଯାତ୍ରୀଙ୍କୁ ଉଦ୍ଧାର କଲା ବୋଟ୍‌ ଆମ୍ବୁଲାନ୍ସ

ତେନ୍ତୁଳିଖୁଣ୍ଟି,୧୫।୯(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ପୋଡ଼ାଗଡ଼ ଡ୍ୟାମ୍‌ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଗୁରୁବାର ଯାନ୍ତ୍ରିକ ତ୍ରୁଟି ଯୋଗୁ ଏକ ଲଞ୍ଚ ଅଟକି ଯାଇଥିଲା। ଫଳରେ ଲଞ୍ଚରେ ଥିବା ଗୁଞ୍ଜମାଲି ଗ୍ରାମର ୨୫ଜଣ ଯାତ୍ରୀଙ୍କୁ ଏକ ବୋଟ୍‌ ଆମ୍ବୁଲାନ୍ସ ଉଦ୍ଧାର କରିଛି।
କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନ ଗୁଞ୍ଜମାଲି ଗ୍ରାମର ୧୫ଜଣ ମହିଳା, ୬ ପୁରୁଷ ଓ ୪ଶିଶୁ ଏକ ଲଞ୍ଚରେ ବାରିଆଘାଟ ଯାଉଥିଲେ। ଘାଟରେ ଓହ୍ଲାଇ ସେଠାରୁ ଲୋମତାଗୁଡ଼ା ସାପ୍ତାହିକ ହାଟରେ ପହଞ୍ଚି ଜିନିଷ ବିକ୍ରି କରିବା ନେଇ ଯୋଜନା ରହିଥିଲା। ହେଲେ ଲଞ୍ଚର ଯାନ୍ତ୍ରିକ ତ୍ରୁଟି ଯୋଗୁ ଜଳଭଣ୍ଡାର ମଝିରେ ଲଞ୍ଚଟି ଅଟକି ଯାଇଥିଲା। ଏପରି କି ହଠାତ ଦକ୍ଷିଣା ପବନ ହେବାରୁ ଲଞ୍ଚ ଭିତରକୁ ପାଣି ପଶି ଯାଇଥିଲା। ଫଳରେ ଲଞ୍ଚଟି ଭାରସାମ୍ୟ ହରାଇବାରେ ଲାଗିଥିଲା। ଏନେଇ ନାଉରୀ ତୁରନ୍ତ ବାରିଆଘାଟରେ ଥିବା ୧୦୮ବୋଟ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଫୋନ କରି ଉଦ୍ଧାର କରିବାକୁ ଅନୁରୋଧ କରିଥିଲେ। ଖବରପାଇ ବୋଟ ଆମ୍ବୁଲାନ୍ସ ଡ୍ରାଇଭର, ପାଇଲଟ, ଇଏମଟି ଓ ସହାୟକ ଘଟଣାସ୍ଥଳରେ ପହଞ୍ଚତ୍ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଏହାପରେ ବୋଟ ଆମ୍ବୁଲାନ୍ସ କର୍ମଚାରୀମାନେ ଉଦ୍ଧାର ବ୍ୟକ୍ତିଙ୍କୁ ବାରିଆଘାଟରେ ଆଣି ଛାଡିଥିଲେ।

Share