ଆଇସ୍‌ଲାଣ୍ଡର ରେକ୍‌ଜାଭିକ୍‌ରେ ଲାଭା ଉଦ୍‌ଗିରଣ

ରେକ୍‌ଜାଭିକ, ୧୨।୭: ସାଧାରଣ ଭାବେ ଆଗ୍ନେୟଗିରି ଉଦ୍‌ଗିରଣ ବେଳେ ସୁରକ୍ଷା ଦୃଷ୍ଟିରୁ ଆଖପାଖ ଅଞ୍ଚଳକୁ ଖାଲି କରାଯାଏ। କିନ୍ତୁ ଆଇସ୍‌ଲାଣ୍ଡସର ରେକ୍‌ଜାଭିକ୍‌ର ଲିଟ୍‌ଲି ହୃଟୁରରେ ଲାଭା ଉଦ୍‌ଗିରଣ ଦେଖିବା ଲାଗି ଲୋକଙ୍କ ଭିଡ଼ ଲାଗିଛି। ଅନ୍ୟ ଉଦ୍‌ଗିରଣ ତୁଳନାରେ ଏହା ଭିନ୍ନ ରହିଥିବା ସେଠାକୁ ଆସୁଥିବା ଲୋକେ କହିଛନ୍ତି। ଲାଭା ବାହାରୁଥିବା ସ୍ଥାନଟି ଅତ୍ୟଧିକ ଉଜ୍ଜ୍ୱଳ ଦେଖାଯାଉଥିବାବେଳେ ଏହାର ମଧ୍ୟଭାଗ ସୂର୍ଯ୍ୟଙ୍କ ଭଳି କମଳା ରଙ୍ଗ ଦେଖାଯାଉଛି। ଉଦ୍‌ଗିରଣ ସ୍ଥାନରୁ ସଲଫର ଡାଇଅକ୍ସାଇଡ୍‌ ଭଳି ମାରାତ୍ମକ ଗ୍ୟାସ ପ୍ରଚୁର ପରିମାଣରେ ନିର୍ଗତ ହେଉଛି।
ସମୟରେ କମ୍‌ ପରିମାଣରେ ଓ ମନ୍ଥର ଗତିରେ ଲାଭା ବାହାରୁଥିବାବେଳେ ଆଗକୁ ଏହାର ବେଗ ବଢ଼ିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ୨୦୨୧ ଏବଂ ୨୦୨୨ରେ ରେକଜାନେସ ପେନିନସୁଲାରେ ଦେଖିବାକୁ ମିଳିଥିବା ଉଦ୍‌ଗିରଣ ତୁଳନାରେ ଏବେର ସ୍ଥିତି ଅଧିକ ଜଟିଳ ହେବାକୁ ଯାଉଥିବା କୁହାଯାଉଛି। ଆଗାମୀ ଦିନରେ ଏହା ଭୟଙ୍କର ରୂପ ନେବ। ଉଦ୍‌ଗିରଣ ସ୍ଥାନରୁ ଆସୁଥିବା ପବନ ଅପେକ୍ଷାକୃତ କମ୍‌ ଗରମ ବୋଲି ସ୍ଥାନୀୟ ଗାଇଡ୍‌ କହିଛନ୍ତି। କିନ୍ତୁ ଲାଭା ବାହାରୁଥିବା ସ୍ଥାନର ବିପରୀତ ପାର୍ଶ୍ୱରେ ଅସହ୍ୟ ତାତି ଅନୁଭୂତ ହେଉଥିବାବେଳେ ସେହି ସ୍ଥାନର ତାପମାତ୍ରା ୧୦୦୦ ଡିଗ୍ରୀ ସେଲସିୟସ୍‌ ରହିଛି। ସ୍ଥାନୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ସୋମବାର ସନ୍ଧ୍ୟାରେ ଉକ୍ତ ସ୍ଥାନକୁ ବନ୍ଦ କରିଦିଆଯାଇଛି।

Share