ମସ୍କୋ, ୧୨ା୪: ରୁଷିଆର ସବୁଠୁ ସକ୍ରିୟ ଆଗ୍ନେୟଗିରି ଭାବେ ପରିଚିତ ଶିଭେଲୁଚ୍ ଭଲ୍କାନୋରୁ ମଙ୍ଗଳବାର ଲାଭା ଉଦ୍ଗିରଣ ହୋଇଛି। କାମଚାଟ୍କା ପେନିନ୍ସୁଲାରେ ଥିବା ଆଗ୍ନେୟଗିରି ଲାଭା ସହ ପାଉଁଶ ୧୦ କିଲୋମିଟର ପର୍ଯ୍ୟନ୍ତ ଉଠିଥିଲା। ଫଳରେ ଉକ୍ତ ଅଞ୍ଚଳ ଦେଇ ବିମାନ ଚଳାଚଳ ପ୍ରତି ବିପଦ ସୃଷ୍ଟି ହୋଇଥିବାରୁ ସତର୍କ ସୂଚନା ଜାରି କରାଯାଇଛି। ଆଗ୍ନେୟଗିରି ଉପରେ ବୃହତ୍ ପାଉଁଶ ବାଦଲ ଆସ୍ତରଣ ଆକାଶକୁ ଆଚ୍ଛାଦିତ କରି ରଖିବା ସହ ପଶ୍ଚିମ ଆଡ଼ଗୁ ଗତି କରୁଛି। ପାଉଁଶ ଆସ୍ତରଣ ୧,୦୮,୦୦୦ ବର୍ଗକିଲୋମିଟର ଅଞ୍ଚଳକୁ ବ୍ୟାପିଥିବାବେଳେ ପାଖ ଗାଁଗୁଡ଼ିକରେ ୧୦ ସେଣ୍ଟିମିଟର ଉଚ୍ଚର ପାଉଁଶ ଗଦାହୋଇଛି। ଫଳରେ ସ୍ବାଭାବିକ ଜୀବନଯାତ୍ରା ଅଚଳ ହୋଇପଡ଼ିଛି।