Categories: ଜାତୀୟ

ଶିଶୁ ପୋଷ୍ୟଗ୍ରହଣ ପାଇଁ ଆଇନ ଅନୁମତି ଦେଇଛି: ସର୍ବୋଚ୍ଚ ଅଦାଲତ

ନୂଆଦିଲ୍ଲୀ, ୧୧ା୫ : ବୈବାହିକ ମାନ୍ୟତା ନିର୍ବିଶେଷରେ ଯେକୌଣସି ବ୍ୟକ୍ତି ଶିଶୁ ପୋଷ୍ୟଗ୍ରହଣ କରିବା ଲାଗି ଭାରତୀୟ ଆଇନ ଅନୁମତି ଦେଇଥିବା ସୁପ୍ରିମକୋର୍ଟ ବୁଧବାର କହିଛନ୍ତି। ନିଜର ଜୈବିକ ସନ୍ତାନ ଥିବା ଆଦର୍ଶ ପରିବାର ବ୍ୟତୀତ ଅନ୍ୟାନ୍ୟ ସ୍ଥିତି ଥାଇପାରେ, ଯାହାକୁ ଆଇନଗତ ସ୍ବୀକୃତିକୁ ଜୋର୍‌ ଦେବାକୁ ଯାଇ ସର୍ବୋଚ୍ଚ ଅଦାଲତ ଏହା କହିଛନ୍ତି। ସମଲିଙ୍ଗୀ ବିବାହକୁ ଆଇନଗତ ବୈଧତା ଆବେଦନର ଶୁଣାଣି ଅବସରରେ ଶିଶୁର କଲ୍ୟାଣ ସର୍ବାଗ୍ରେ ବୋଲି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନ୍‌ସିପିସିଆର୍‌) କହିଥିଲା। ସନ୍ତାନ ପୋଷ୍ୟ ଗ୍ରହଣ ମୌଳିକ ଅଧିକାର ନୁହେଁ ବୋଲି ବିଭିନ୍ନ ରାୟରେ କୁହାଯାଇଥିବା ଏନ୍‌ସିପିସିଆର୍‌ ଯୁକ୍ତି ଦର୍ଶାଇଥିଲା। ଜଣେ ପୁରୁଷ ଓ ମହିଳାଙ୍କଠାରୁ ପ୍ରାକୃତିକ ଭାବେ ଜନ୍ମିତ ସନ୍ତାନର ସ୍ବାର୍ଥ ଓ କଲ୍ୟାଣର ସୁରକ୍ଷା ପାଇଁ ଆଇନରେ ବ୍ୟବସ୍ଥା ରହିଛି। ରାଷ୍ଟ୍ର ବିଷମଲିଙ୍ଗୀ ଏବଂ ସମଲିଙ୍ଗୀକୁ ଭିନ୍ନ ଭାବେ ଗ୍ରହଣ କରିବା ଯଥାର୍ଥ ବୋଲି ଏନ୍‌ସିପିସିଆର୍‌ ଏବଂ ଅନ୍ୟମାନଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭଟି ସାମ୍ବିଧାନିକ ଖଣ୍ଡପୀଠଙ୍କୁ କହିଥିଲେ।
ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି ପ୍ରଦାନ ହିନ୍ଦୁ ବିବାହ ଆଇନର ମୂଳ ଲକ୍ଷ୍ୟକୁ ପରାହତ କରିବା ସହ ଅନ୍ୟ ଧର୍ମ ଓ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ଉଦାରବାଦୀ ଚିନ୍ତାଧାରା କିପରି ଭାରତକୁ କବଳିତ କରୁଛି ଓ ହିନ୍ଦୁବାଦର ଚରିତ୍ରକୁ ପ୍ରଭାବିତ କରୁଛି, ତାହା ଚିତ୍ରଣ କରିବ ବୋଲି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌)ର ମହିଳା ସଂଗଠନ ସମ୍ବର୍ଦ୍ଧିନୀ ନ୍ୟାସ ପକ୍ଷରୁ କୁହାଯାଇଛି। ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତିର ଧ୍ୱଂସକାରୀ ପ୍ରଭାବ ସମ୍ପର୍କରେ ଏହା ସର୍ବୋଚ୍ଚ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏଭଳି ନିଷ୍ପତ୍ତି ଭାରତର ସାଂସ୍କୃତିକ ମୂଳ ଏବଂ ଭାରତୀୟ ସମାଜକୁ ଦୋହଲାଇଦେବ ବୋଲି ସମ୍ବର୍ଦ୍ଧିନୀ ନ୍ୟାସ କହିଛି।
ସମଲିଙ୍ଗୀ ବିବାହକୁ ନେଇ ସର୍ବୋଚ୍ଚ ଅଦାଲତ ରାଜ୍ୟଗୁଡ଼ିକର ମତାମତ ଲୋଡ଼ିଥିଲେ। ରାଜସ୍ଥାନ ଏହାକୁ ବିରୋଧ କରିଥିବାବେଳେ ଅନ୍ୟ ୬ଟି ରାଜ୍ୟ ଏହାକୁ ଅନୁଧ୍ୟାନ କରିବା ପାଇଁ ସମୟ ମାଗିଥିବା କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି। ସେହି ରାଜ୍ୟଗୁଡ଼ିକ ହେଲେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ମଣିପୁର, ଆସାମ ଓ ସିକିମ।

Share