ବଇଣ୍ଡା ଅଞ୍ଚଳରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ବଇଣ୍ଡା, ୬ା୪ (ଡି.ଏନ.ଏ.): ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡା ତଥା ଆଖପାଖ ଅଞ୍ଚଳରେ କିଛି ମାସ ହେବ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବଇଣ୍ଡା ଫାଣ୍ଡି ପୋଲିସ ପକ୍ଷରୁ ଠିକ୍‌ ଭାବେ ରାତ୍ରି ପାଟ୍ରୋଲିଂ କରାଯାଉ ନ ଥିବା ବେଳେ ଅନେକ ସମୟରେ ଏତଲା ନ ରଖି ହଣ୍ଡପା ଥାନାକୁ ଅଭିଯୋଗକାରୀଙ୍କୁ ପଠାଇ ଦିଆଯାଉଛି। ଏ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଥିବା ସମ୍ପର୍କରେ ବଇଣ୍ଡା ଗ୍ରାମବାସୀ ମଙ୍ଗଳବାର ଅନୁଗୋଳ ଜିଲା ଏସ୍‌ପିଙ୍କୁ ଅଭିଯୋଗ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି। ଏହାର ଏକ ନକଲ ମୁଖ୍ୟମନ୍ତ୍ରୀ, ୫-ଟି ସଚିବ ଓ ଗୃହ ବିଭାଗ ସଚିବଙ୍କ ନିକଟକୁ ପଠାଇ ଦିଆଯାଇଛି।
ଅଭିଯୋଗରେ ଗ୍ରାମବାସୀ ଦର୍ଶାଇଛନ୍ତି, ନୁନୁକାପଶି, ଗାଁ ବଇଣ୍ଡା, ଜାମୁନାଳୀର ୩୫ ଖଣ୍ଡ ଗ୍ରାମକୁ ସୁରକ୍ଷା ଦେବା ପାଇଁ ବଇଣ୍ଡାଠାରେ ୧୯୯୮ ମସିହାରେ ଫାଣ୍ଡି ସ୍ଥାପନ ହୋଇଥିଲା। ଏହି ଫାଣ୍ଡିରେ ବର୍ତ୍ତମାନ ଜଣେ ଅଧିକାରୀଙ୍କ ସହ ଜଣେ କନଷ୍ଟେବଲ ନିଯୁକ୍ତି ପାଇଛନ୍ତି। ଫାଣ୍ଡିକୁ ଏକ ପୋଲିସ ଭ୍ୟାନ୍‌ ମଧ୍ୟ ଯୋଗାଇ ଦିଆଯାଇଛି। ହେଲେ ୩ ମାସ ହେବ ଆଇନଶୃଙ୍ଖଳା ରକ୍ଷା ଦିଗରେ ଫାଣ୍ଡି ପକ୍ଷରୁ ଉପଯୁକ୍ତ ଧ୍ୟାନ ଦିଆଯାଉ ନାହିଁ। ହଣ୍ଡପା ଥାନାରେ କାର୍ଯ୍ୟଭାର ପଡୁଥିବା ଯୋଗୁ ଅନେକ ସମୟରେ ବଇଣ୍ଡା ଫାଣ୍ଡି ଅଧିକାରୀ ଫାଣ୍ଡିରେ ଅନୁପସ୍ଥିତ ରହୁଛନ୍ତି। ଫଳରେ ଅଭିଯୋଗ କରିବା ପାଇଁ ଫାଣ୍ଡିକୁ ଯାଉଥିବା ଲୋକଙ୍କୁ ହଣ୍ଡପା ଥାନାରେ ଏତଲା ଦେବାକୁ କୁହାଯାଉଥିବାରୁ ସେମାନେ ୭ କିଲୋମିଟର ଦୂର ହଣ୍ଡପା ଥାନାକୁ ଯାଇ ଅଯଥା ଖର୍ଚ୍ଚାନ୍ତ ଓ ହଇରାଣ ହେଉଛନ୍ତି। ଏଥିସହ ବଇଣ୍ଡା ତଥା ଆଖପାଖ ଅଞ୍ଚଳରେ ବ୍ୟାପକ ଚୋରା ଦେଶୀ ଓ ବିଦେଶୀ ମଦ ବିକ୍ରି କରାଯାଉଥିବା ବେଳେ ପୋଲିସ ପକ୍ଷରୁ ଠିକ୍‌ ସମୟରେ ଚଢ଼ାଉ କରାଯାଉ ନାହିଁ। କେଉଁଠି କାଁ ଭାଁ ଚଢ଼ାଉ କରାଯାଇ ଜଣେ ୨ ଜଣଙ୍କୁ ଗିରଫ କରି ପୋଲିସ ବାହାବାଃ ନେଉଥିବା ବେଳେ ସା ହେଲେ ଅନେକ ସ୍ଥାନରେ ଚୋରା ମଦ ଯୋଗୁ ଗଣ୍ଡଗୋଳ ସୃଷ୍ଟି ହେଉଛି। ଚୋରା ଗଞ୍ଜେଇ ସହ ଅଫିମ ଚାଲାଣ ହେଉଥିଲେ ମଧ୍ୟ ପୋଲିସ ଚୋରା ବେପାରୀଙ୍କ ପତ୍ତା ପାଇପାରୁନାହିଁ। ସେହିପରି ବଇଣ୍ଡା ଫାଣ୍ଡି ଅଞ୍ଚଳରେ ୬ ମାସ ହେବ ଆମ ପୋଲିସ ସମିତି ବୈଠକ କରାଯାଉ ନ ଥିବାରୁ ପୋଲିସ-ଜନତାଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହେଉ ନ ଥିବା ବଇଣ୍ଡା ବିକାଶ ପରିଷଦ ପକ୍ଷରୁ ଅଭିଯୋଗ କରାଯାଇଛି। ତୁରନ୍ତ ଏଥିପ୍ରତି ଅନୁଗୋଳ ଏସ୍‌ପି ଦୃଷ୍ଟିଦେଇ ଫାଣ୍ଡିରେ ଆବଶ୍ୟକ କର୍ମଚାରୀ ନିଯୁକ୍ତି ଦେବା ସହ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ବଇଣ୍ଡା ଗ୍ରାମବାସୀ ଦାବି କରିଛନ୍ତି। ନଚେତ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି କଡା ଚେତାବନୀ ଦିଆଯାଇଛି। ଏ ନେଇ ହଣ୍ଡପା ଆଇଆଇସି ନମିତା ନାୟକ କହିଛନ୍ତି, ପାଟ୍ରୋଲିଂ କଡ଼ାକଡ଼ି କରାଯାଉଛି। ଲୋକଙ୍କୁ ସେବା ଯୋଗାଇ ଦିଆଯାଉଛି।