Categories: ଜାତୀୟ

ନିଯୁକ୍ତି ପ୍ରକ୍ରିୟାରେ ମହିଳା ପ୍ରାର୍ଥୀଙ୍କ ଛାତି ମାପିବାର ନିୟମ ଅପମାନଜନକ: ହାଇକୋର୍ଟ…

ଜୟପୁର,୧୭।୮ : ଫରେଷ୍ଟ ଗାର୍ଡ କିମ୍ବା ଅନ୍ୟ କୌଣସି ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟାରେ ମହିଳା ପ୍ରାର୍ଥୀଙ୍କ ଛାତି ମାପକୁ ରାଜସ୍ଥାନ ହାଇକୋର୍ଟ ନିନ୍ଦା କରିଛନ୍ତି। ଅଦାଲତ କହିଛନ୍ତି ଶାରୀରିକ ପରୀକ୍ଷଣ ସମୟରେ ଫୁସଫୁସ କ୍ଷମତା ମାପିବା ପାଇଁ ଛାତି ମାପର ମାନଦଣ୍ଡ ସମ୍ପୂର୍ଣ୍ଣ ଲଜ୍ଜାଜନକ ଏବଂ ଅପମାନଜନକ। ଏହା ମହିଳା ପ୍ରାର୍ଥୀଙ୍କ ସମ୍ମାନକୁ ଆଘାତ ଦେଇଥାଏ। ମହିଳା ପ୍ରାର୍ଥୀଙ୍କୁ ଏହି ଅପମାନରୁ ରକ୍ଷା କରିବା ଏବଂ ଫୁସଫୁସ କ୍ଷମତାର ଆବଶ୍ୟକୀୟ ସ୍ତର ମାପିବା ପାଇଁ ଅନ୍ୟ କିଛି ବିକଳ୍ପ ଉପାୟ ଖୋଜିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏଥିପାଇଁ ବିଶେଷଜ୍ଞଙ୍କ ମତାମତ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜଷ୍ଟିସ ଦୀନେଶ ମେହେଟ୍ଟା ଏକ ପିଟିଶନର ବିଚାର ସମୟରେ ଏହି ମନ୍ତବ୍ୟ ଦେଇଛନ୍ତି। ବାସ୍ତବରେ, ଫରେଷ୍ଟ ଗାର୍ଡ ପଦ ପାଇଁ ଶାରୀରିକ ଦକ୍ଷତା ପରୀକ୍ଷା ପାସ କରିବା ପରେ ମଧ୍ୟ ଛାତି ମାପ ପ୍ରକ୍ରିୟାରେ ଅଯୋଗ୍ୟ ଥିବାରୁ ୩ ମହିଳା ପ୍ରାର୍ଥୀଙ୍କୁ ବାହାର କରି ଦିଆଯାଇଥିଲା। ପରୀକ୍ଷା ଏଜେନ୍ସିର ଏହି ନିଷ୍ପତ୍ତିକୁ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା।

ନିଯୁକ୍ତି ପ୍ରକ୍ରିୟାରେ କୋର୍ଟ ହସ୍ତକ୍ଷେପ କରିନାହାଁନ୍ତି। କିନ୍ତୁ ମହିଳା ପ୍ରାର୍ଥୀଙ୍କ ପାଇଁ ଛାତି ମାପର ଆବଶ୍ୟକତା ବିଷୟରେ କିଛି ଆଲୋଚନା ଆବଶ୍ୟକ ବୋଲି ମନ୍ତବ୍ୟ ଦେଇଛନ୍ତି। ଜଷ୍ଟିସ ମେହେଟ୍ଟା ଅଗଷ୍ଟ ତାଙ୍କ ଆଦେଶରେ କହିଛନ୍ତି ମହିଳା ପ୍ରାର୍ଥୀଙ୍କ କ୍ଷେତ୍ରରେ ଛାତିର ଆକାର ତାଙ୍କ ଶାରୀରିକ ସୁସ୍ଥତା କିମ୍ବା ଫୁସଫୁସ କ୍ଷମତା ନିର୍ଣ୍ଣୟକାରୀ ହେବା ଉଚିତ ନୁହେଁ। ଏହିପରି ନିୟମ ସ୍ଥିର କରିବା ଜଣେ ମହିଳାଙ୍କ ସମ୍ମାନ, ଶାରୀରିକ ସ୍ବାଧୀନତା ଏବଂ ମାନସିକ ଅଖଣ୍ଡତା ଉପରେ ପ୍ରଭାବ ପକାଇଥାଏ।ହାଇକୋର୍ଟ କହିଛନ୍ତି ଏହି ମାନଦଣ୍ଡ ସମ୍ପୂର୍ଣ୍ଣ ଭାବେ ମନମୁଖୀଏବଂ ଅପମାନଜନକ। ଏହା ଭାରତର ସମ୍ବିଧାନର ଧାରା ୧୪ ଏବଂ ୨୧ ଅନୁଯାୟୀ ମହିଳାଙ୍କ ସମ୍ମାନ ଏବଂ ଗୋପନୀୟତା ଅଧିକାର ଉପରେ ଏକ ସ୍ପଷ୍ଟ ଆକ୍ରମଣ।

ଆବେଦନକାରୀମାନେ କୋର୍ଟଙ୍କୁ କହିଥିଲେ ସେମାନଙ୍କର ମାପ ଅଧିକ ଯୋଗ୍ୟ ଅଟେ। ଏହା ପରେ ହାଇକୋର୍ଟ ଏମ୍ସ ମେଡିକାଲ ବୋର୍ଡରୁ ରିପୋର୍ଟ ମାଗିଥିଲେ। ରିପୋର୍ଟରେ ଦର୍ଶାଯାଇଥିଲା ଦୁଇ ପ୍ରାର୍ଥୀଙ୍କ ଛାତି ମାପ ସାଧାରଣ ସ୍ଥିତିର ଯୋଗ୍ୟତାଠାରୁ କମ ଥିବାବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ମାପ ବିସ୍ତାରିତ ସ୍ଥିତିରେ ଛାତି ମାପଠାରୁ କମ ଥିଲା। ଏହି ରିପୋର୍ଟକୁ ଭିତ୍ତି କରି କୋର୍ଟ ସେମାନଙ୍କ ଆବେଦନକୁ ଖାରଜ କରି ନିଯୁକ୍ତି ଏଜେନ୍ସିର ଅଯୋଗ୍ୟ ଘୋଷଣାକୁ କାଏମ ରଖିଛନ୍ତି। କିନ୍ତୁ ଏହି ପଦ୍ଧତିକୁ ନେଇ ଆପତ୍ତି କରିଛନ୍ତି।

ଏହି ମାନଦଣ୍ଡର ପୁନବିର୍ଚାର ପାଇଁ ଏହି ନିର୍ଦ୍ଦେଶର ଏକ ନକଲ ରାଜ୍ୟ ମୁଖ୍ୟ ଶାସନ ସଚିବ, ଜଙ୍ଗଲ ବିଭାଗର ସଚିବ ଏବଂ କର୍ମଚାରୀ ବିଭାଗର ସଚିବଙ୍କ ନିକଟକୁ ପଠାଯାଇଛି। ଫୁସଫୁସ କ୍ଷମତାର ଆବଶ୍ୟକୀୟ ସ୍ତର ନିର୍ଣ୍ଣୟ କରିବା ପାଇଁ ବିକଳ୍ପ ମାଧ୍ୟମର ସମ୍ଭାବନାକୁ ଅନୁସନ୍ଧାନ କରିବାକୁ ବିଶେଷଜ୍ଞଙ୍କ ମତାମତ ନେବାକୁ ରାଜସ୍ଥାନ ସରକାର ଅଧିକାରୀମାନଙ୍କୁ କହିଥିଲେ।

Share