ଆପାର୍ଟମେଣ୍ଟରୁ ପଡ଼ି ଆଇନ ଛାତ୍ରଙ୍କ ମୃତ୍ୟୁ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ଖାରବେଳନଗର ଥାନା ଅନ୍ତର୍ଗତ ମାଷ୍ଟରକ୍ୟାଣ୍ଟିନସ୍ଥିତ ଚନ୍ଦ୍ରମା ଆପାର୍ଟମେଣ୍ଟର ଛାତରୁ ପଡ଼ି ରବିବାର ରାତିରେ ଜଣେ ଆଇନ ଛାତ୍ରଙ୍କ ମୃତ୍ୟୁ ହୋଇଛି। ସେ ହେଲେ ୟୁନିଟି-୬ ଗଙ୍ଗନଗରରେ ରହୁଥିବା ଅନିରାଜ ମାନସ ଟୁଡୁ। ତାଙ୍କ ପକେଟ୍‌ରୁ ମିଳିଥିବା ଆଇକାର୍ଡରୁ ସେ କଟକରେ ଥିବା ନ୍ୟାସନାଲ ଲ ୟୁନିଭରସିଟିରେ ପାଠ ପଢୁଥିବା ଜଣାପଡିଛି। ପୋଲିସ ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲ ପଠାଇଛି। ସୋମବାର ପରିବାରଲୋକଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ଅନିରାଜଙ୍କ ଏଭଳି ମୃତ୍ୟୁକୁ ସ୍ଥାନୀୟଲୋକମାନେ ଗ୍ରହଣ କରିପାରୁନାହାନ୍ତି। ଏପରିକି ତାଙ୍କୁ କେହି ଛାତରୁ ଠେଲି ଦେଇଥିବା କିଛିଲୋକ ସନ୍ଦେହ କରୁଛନ୍ତି। ତେବେ ଏନେଇ ରହସ୍ୟ ଲାଗି ରହିଥିବା ବେଳେ ନାନା ପ୍ରଶ୍ନ ଉଠିବାରେ ଲାଗିଛି। ଅନିରାଜ ଉକ୍ତ ଆପାର୍ଟମେଣ୍ଟକୁ କାହିଁକି ଆସିଥିଲେ ଏବଂ କାହା ପାଖକୁ ଆସିଥିଲେ ତାହାର କୌଣସି ଠିକ ସୂଚନା ପୋଲିସ ପକ୍ଷରୁ ଦିଆଯାଇନାହିଁ। ଏନେଇ ଥାନାଧିକାରୀ ରଜନୀକାନ୍ତ ମିଶ୍ର କହିଛନ୍ତି ଯେ, ରବିବାର ରାତି ପ୍ରାୟ ୮ ସମୟରେ ଜଣେ ଯୁବକ ଆପାର୍ଟମେଣ୍ଟ ଛାତରୁ ପଡିଯାଇଥିବା ସୂଚନା ମିଳିଥିଲା। ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନ ଥିବା ବେଳେ ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି। ସବୁ ଦିଗକୁ ନେଇ ତଦନ୍ତ ଚାଲିଥିବା ବେଳେ ଆପାର୍ଟମେଣ୍ଟର ସିସିଟିଭି ଫୁଟେଜ ଯାଞ୍ଚ ସହ ସିକ୍ୟୁରିଟି ଗାର୍ଡଙ୍କୁ ପଚରାଉଚରା କରାଯିବ ବୋଲି ସେ କହିଛନ୍ତି। ତେବେ ରବିବାର ଘଟଣା ବିଷୟରେ ଅଧିକ ସୂଚନା ମିଳିପାରିବ ବୋଲି ଜଣାପଡ଼ିଛି।

Share