Categories: ଜାତୀୟ

ଏନ୍‌ଆଇଏର ମୋଷ୍ଟ ଓ୍ବାଣ୍ଟେଡ ଲିଷ୍ଟରେ ଲରେନ୍ସଙ୍କ ଭାଇ ଅନମୋଲ, ଧରାଇ ଦେଲେ ମିଳିବ ୧୦ ଲକ୍ଷ

ମୁମ୍ବାଇ,୨୫।୧୦: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଏବଂ ତାଙ୍କ ପରିବାରର ସମସ୍ୟା ବଢିବାରେ ଲାଗିଛି। ଏନଆଇଏ ଲରେନ୍ସଙ୍କ ଭାଇ ଅନମୋଲ ବିଷ୍ଣୋଇଙ୍କ ଉପରେ ୧୦ଲକ୍ଷ ଟଙ୍କା ପୁରସ୍କାର ରଖିଛି। ଅନମୋଲ ବିଷ୍ଣୋଇଙ୍କୁ ଏନଆଇଏର ମୋଷ୍ଟ ଓ୍ବାଣ୍ଟେଡ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ସୂଚନାନୁସାରେ, ଅନମୋଲ କାନାଡା ଏବଂ ଆମେରିକାରୁ ଏହି ଗ୍ୟାଙ୍ଗ ଚଳାଉଛନ୍ତି। ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାରେ ଅନମୋଲ ବିଷ୍ଣୋଇଙ୍କ ନାମ ସାମ୍ନାକୁ ଆସିଛି। କୁହାଯାଉଛି ଯେ ବାବା ସିଦ୍ଦିକୀଙ୍କୁ ହତ୍ୟା କରିଥିବା ସୁଟରଙ୍କ ସହ ଅନମୋଲଙ୍କର ଲିଙ୍କ ରହିଛି।

ସୂଚନାଯୋଗ୍ୟ, ସଲମାନ ଖାନଙ୍କ ଘରେ ହୋଇଥିବା ଗୁଳିମାଡ ପାଇଁ ଅନମୋଲ ବିଷ୍ଣୋଇ ନିଜକୁ ଦାୟୀ କରିସାରିଛନ୍ତି। ଏନଡିଟିଭିର ରିପୋର୍ଟ ଅନୁଯାୟୀ, ଅନମୋଲ ବିଷ୍ଣୋଇଙ୍କ ସମ୍ମୁଖରେ ସୁଟର ଏକ ଭାଷଣ ଦେଇଥିଲେ ଏବଂ ତାଙ୍କୁ ଗୁଳି ଚଳାଇବାକୁ ପ୍ରବର୍ତ୍ତାଇଥିଲେ। ମୁମ୍ବାଇ ପୋଲିସ କ୍ରାଇମ ବ୍ରାଞ୍ଚ ଦାଖଲ କରିଥିବା ଆବେଦନରେ ଏହି ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି। ରିପୋର୍ଟ ଅନୁଯାୟୀ, ଅନମୋଲ ତାଙ୍କର ଦୁଇ ସୁଟର ବିକି ଗୁପ୍ତା ଏବଂ ସାଗର ପାଲଙ୍କୁ କହିଥିଲେ ଯେ ଯଦି ଅଭିନେତା ସଲମାନ ଖାନଙ୍କ ଘରେ ଗୁଳି ଚଳାନ୍ତି ତେବେ ଜାଣଇ ରଖନ୍ତୁ ଯେ ସେ ଇତିହାସ ସୃଷ୍ଟି କରୁଛନ୍ତି।
ସୁଟରମାନଙ୍କୁ ସମ୍ବୋଧିତ କରି ଅନମୋଲ କହିଥିଲେ ଯେ ତୁମେମାନେ ତୁମର ଜୀବନର ସର୍ବୋତ୍ତମ କାର୍ଯ୍ୟ କରିବାକୁ ଯାଉଛ। ମୁମ୍ବାଇର ଏକ ସ୍ବତନ୍ତ୍ର ଅଦାଲତରେ ଦାଖଲ ହୋଇଥିବା ୧,୭୩୫ ପୃଷ୍ଠାର ଚାର୍ଜସିଟ ଅନୁଯାୟୀ, ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଭାଇ ଅନମୋଲ ବିଷ୍ଣୋଇ କହିଛନ୍ତି, ଏହି କାମକୁ ଭଲ ଭାବରେ ସଂପୂର୍ଣ୍ଣ କର। କାମ ସରିବା ମାତ୍ରେ ତୁମେମାନେ ଇତିହାସ ସୃଷ୍ଟି କରିବ।
ସୂଚନାଯୋଗ୍ୟ, ଏପ୍ରିଲ ମାସରେ ସଲମାନ ଖାନଙ୍କ ଘର ନିକଟରେ ଗୁଳି ବିନିମୟ ହୋଇଥିଲା। ଘଟଣାଟି ୧୪ ଏପ୍ରିଲର। ଏହି ଘଟଣାରେ ମୋଟରସାଇକେଲରେ ଯାଉଥିବା ଦୁଇଜଣ ବ୍ୟକ୍ତି ବାନ୍ଦ୍ରା ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ଗୁଳି ଚଳାଇଥିଲେ। ଗୁଳି ଚଳାଇବା ପରେ ଉଭୟ ଅଭିଯୁକ୍ତ ଫେରାର ଯାଇଥିଲେ।

Share