Categories: ଜାତୀୟ

କୋର୍ଟ ଭିତରେ ଓକିଲଙ୍କୁ ହତ୍ୟା

ଶାହଜାନପୁର, ୧୮।୧୦: ଉତ୍ତରପ୍ରଦେଶର ଶହଜାନପୁର ଜିଲା କୋର୍ଟ ଭିତରେ ସୋମବାର ଜଣେ ଆଇନଜୀବୀଙ୍କୁ ଗୁଳିକରି ହତ୍ୟା କରାଯାଇଛି। କେତେକ ମାମଲା ସମ୍ପର୍କରେ ବୁଝିବା ପାଇଁ ଜଲାଲାବାଦ ତହସିଲ୍‌ର ଆଇନଜୀବୀ ଭୂପେନ୍ଦ୍ର ସିଂ (୩୮) ଜିଲା କୋର୍ଟର ତୃତୀୟ ମହଲାରେ ଥିବା ଏସିଜେଏମ୍‌-ଆଇ କାର୍ଯ୍ୟାଳୟକୁ ଯାଇଥିଲେ। ଏହି ସମୟରେ ଗୁଳି ଶବ୍ଦ ଶୁଭିବା ସହ ତାଙ୍କର ମୃତ୍ୟୁ ଘଟିଥିବା ଦେଖାଯାଇଥିଲା। ତାଙ୍କ ମୃତଦେହ ନିକଟରୁ ଏକ ଦେଶୀ ବନ୍ଧୁକ ମିଳିଛି। ସେଠାରେ ଅନ୍ୟ କେହି ନ ଥିବାରୁ ଭୂପେନ୍ଦ୍ର ନିଜେ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ହତ୍ୟା କରାଯାଇଛି, ତାହା ସ୍ପଷ୍ଟ ହୋଇ ନ ଥିବା ଏସ୍‌ପି ଏସ୍‌. ଆନନ୍ଦ କହିଛନ୍ତି। ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଚଳାଇଛନ୍ତି। ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଜିଲାର ଆଇନଜୀବୀମାନେ ଧର୍ମଘଟ ଆରମ୍ଭ କରିଛନ୍ତି। ଓକିଲ ହତ୍ୟା ଘଟଣାରେ ବିରୋଧୀ ଦଳ କଂଗ୍ରେସ, ସମାଜବାଦୀ ପାର୍ଟି ଏବଂ ବିଏସ୍‌ପି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇଥିବା ବିଏସ୍‌ପି ନେତ୍ରୀ ମାୟାବତୀ କହିଛନ୍ତି।

Share