ଚାଷୀନେତାଙ୍କୁ ଅଭ୍ୟାସଗତ ଅପରାଧୀ ଦର୍ଶାଇବା ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ, ସମର୍ଥନ ଜଣାଇଲା ଓକିଲ ସଂଘ

ବରଗଡ଼,୫।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ରଙ୍କୁ ପୋଲିସ ଅସାମାଜିକ ଏବଂ ଅଭ୍ୟାସଗତ ଅପରାଧୀ ଦର୍ଶାଇବା ଘଟଣାକୁ ନେଇ ବିରୋଧ ତେଜିବାରେ ଲାଗିଛି। ଚାଷୀ, ଭୂମିହୀନଙ୍କ ହକ୍‌ ପାଇଁ ଆନ୍ଦୋଳନର ନେତୃତ୍ୱ ନେଉଥିବା ଉକ୍ତ ଚାଷୀନେତାଙ୍କ ପ୍ରତି ପୋଲିସର ସେଭଳି ଆଚରଣ, କାର୍ଯ୍ୟାନୁଷ୍ଠାନକୁ ବିଭିନ୍ନ ମହଲରେ ଦୃଢ଼ ନିନ୍ଦା କରାଯାଇଛି। ତାକୁ ନେଇ ଜିଲାର ବିଭିନ୍ନ ବ୍ଲକରେ ଚାଷୀ ସଙ୍ଗଠନ ତୁହାକୁ ତୁହା ବୈଠକ କରୁଛନ୍ତି। ଶୁକ୍ରବାର ଜିଲାର ୧୨ ବ୍ଲକରେ ଥିବା ଚାଷୀ ସଙ୍ଗଠନ ଏକତ୍ରିତ ହୋଇ ଜିଲା ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ଉପତ୍ନ୍ନ କୁମାର ଭୋଇଙ୍କ ନେତୃତ୍ୱରେ ଚାଷୀନେତା ମହାପାତ୍ରଙ୍କ ବିରୋଧରେ ପୋଲିସ ନେଇଥିବା କାର୍ଯ୍ୟାନୁଷ୍ଠାନ ପ୍ରତ୍ୟାହାର ଦାବିରେ ଜିଲାପାଳ ଆଦିତ୍ୟ ଗୋୟଲ ଏବଂ ଏସପି ପି.ଏସ୍‌ ମୀନାଙ୍କୁ ଫେରାଦ ହୋଇ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ଏବଂ ଏସ୍‌ପିଙ୍କ ଅନୁପସ୍ଥିତିରେ ଅତିରିକ୍ତ ଏସ୍‌ପି ତପନ କୁମାର ମହାନ୍ତି ସ୍ମାରକପତ୍ର ଗ୍ରହଣ କରିଥିଲେ। ଯଦି ମହାପାତ୍ରଙ୍କ ବିରୋଧରେ ପୋଲିସ ନେଇଥିବା କାର୍ଯ୍ୟାନୁଷ୍ଠାନ ପ୍ରତ୍ୟାହାର ନ ହୁଏ, ସଂଯୁକ୍ତ କୃଷକ ସଙ୍ଗଠନ ଯେକୌଣସି ମୁହୂର୍ତ୍ତରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସ୍ମାରକପତ୍ରରେ ଚେତାବନୀ ଦିଆଯାଇଛି। ବରଗଡ଼ ଜିଲା ଓକିଲ ସଂଘ ମଧ୍ୟ ମହାପାତ୍ରଙ୍କ ବିରୋଧରେ ପୋଲିସର ସେଭଳି କାର୍ଯ୍ୟାନୁଷ୍ଠାନକୁ ଦୃଢ଼ ନିନ୍ଦା କରିଛି ଏବଂ ସଂଯୁକ୍ତ କୃଷକ ସଙ୍ଗଠନକୁ ସମର୍ଥନ ଜଣାଇଛି। ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫ୍‌ କହିଛନ୍ତି, ଜଣେ ଚାଷୀନେତାଙ୍କ ବିରୋଧରେ ପୋଲିସ ଯେଭଳି କାର୍ଯ୍ୟାନୁଷ୍ଠାନ ନେଇଛି ତାହା ଆଦୌ ଗ୍ରହଣୀୟ ନୁହେଁ। ଓକିଲ ସଂଘର ବରିଷ୍ଠ ସଦସ୍ୟ ନିଧୁବନ ବିହାରୀ ପ୍ରସାଦ ପଣ୍ଡା କହିଛନ୍ତି, ଚାଷୀନେତା ମହାପାତ୍ରଙ୍କ ବିରୋଧରେ ଯେଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ତାହା ସ୍ବାଧୀନତା ପୂର୍ବର ବ୍ରିଟିଶ ଶାସନର ଦମନକୁ ମନେ ପକାଇ ଦେଇଛି। ଚାଷୀନେତା ଲିଙ୍ଗରାଜ ପ୍ରଧାନ କହିଛନ୍ତି, ସଂଯୁକ୍ତ କୃଷକ ସଙ୍ଗଠନର ପରାମର୍ଶଦାତା ମହାପାତ୍ରଙ୍କ ବିରୋଧରେ ପୋଲିସ ନେଇଥିବା କାର୍ଯ୍ୟାନୁଷ୍ଠାନ ଆଦୌ ଗ୍ରହଣୀୟ ନୁହେଁ। ତାକୁ ପୋଲିସ ପ୍ରଶାସନ ପ୍ରତ୍ୟାହାର ନ କଲେ ଜିଲାର ସବୁଠି ଆନ୍ଦୋଳନ ହେବ ବୋଲି ସେ କହିଛନ୍ତି। ଓଡ଼ିଶା ରାଜ୍ୟ କୃଷକ ସଙ୍ଗଠନ ଅତାବିରା ବ୍ଲକ ସଭାପତି ବିରେନ୍ଦ୍ର କର ଚାଷୀନେତା ମହାପାତ୍ରଙ୍କ କଣ୍ଠରୋଧ ଓ ମନୋବଳ ଭାଙ୍ଗିବାକୁ ପୋଲିସ ପ୍ରଶାସନ ଯେଭଳି ଅପପ୍ରୟାସ କରୁଛି ତାକୁ ବରଦାସ୍ତ କରାଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି।

Share