Categories: ଖେଳ

କୋଚ୍‌ ଦୌଡ଼ରେ ଲକ୍ଷ୍ମଣ, ଲାଙ୍ଗର, ଗମ୍ଭୀର

ନୂଆଦିଲ୍ଳୀ୍‌,୧୫ା୫: ଆସନ୍ତା ଟି୨୦ କ୍ରିକେଟ ବିଶ୍ୱକପ୍‌ ଶେଷ ହେବା ସହ ଭାରତୀୟ ଦଳର ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହେବ। ଡ୍ରାଭିଡ୍‌ଙ୍କ ସ୍ଥାନରେ ପୂର୍ବତନ ଭାରତୀୟ କ୍ରିକେଟର ତଥା ନ୍ୟାଶନାଲ କ୍ରିକେଟ ଏକାଡେମୀ(ଏନ୍‌ସିଏ) ମୁଖ୍ୟ ଭି.ଭି.ଏସ୍‌. ଲକ୍ଷ୍ମଣଙ୍କୁ ଏହି ଦାୟିତ୍ୱ ପାଇଁ ଦୃଢ ଦାବିଦାର ମନେକରାଯାଉଛି। ବିସିସିଆଇ ପକ୍ଷରୁ ନୂତନ କୋଚ୍‌ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ମେ’ ୨୭ ତାରିଖ ଆବେଦନର ଅନ୍ତିମ ତାରିଖ ରହିଛି। ବିଶ୍ୱକପ ପରେ ଡ୍ରାଭିଡଙ୍କ ଚୁକ୍ତି ଶେଷ ହେଉଥିବା ବେଳେ ସେ ଚାହିଁଲେ ଆଉ ଥରେ ଆବେଦନ କରିପାରିବେ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହା କହିସାରିଛନ୍ତି। ତେବେ ବିସିସିଆଇ ନୂତନ ବ୍ୟକ୍ତିଙ୍କୁ କୋଚ୍‌ ଭାବରେ ରଖିବାକୁ ଆଗ୍ରହୀ ଥିବା ଜଣାପଡିଛି। ଲକ୍ଷ୍ମଣଙ୍କ ବ୍ୟତୀତ ପୂର୍ବତନ ଅଷ୍ଟ୍ରେଲୀୟ କୋଚ୍‌ ଜଷ୍ଟିନ୍‌ ଲାଙ୍ଗର ଓ ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ଏହି ପଦ ପାଇଁ ଆବେଦନ କରିବାର ସମ୍ଭାବନା ରହିଛି।
ଭି.ଭି.ଏସ୍‌. ଲକ୍ଷ୍ମଣ: ଏନ୍‌ସିଏର ମୁଖ୍ୟ ଭାବରେ କାର୍ଯ୍ୟ କରୁଥିବା ଲକ୍ଷ୍ମଣଙ୍କୁ ଏହି ପଦ ପାଇଁ ମୁଖ୍ୟ ଦାବିଦାର ଭାବରେ ବିବେଚନା କରାଯାଇଛି। ବିଗତ ୩ ବର୍ଷ ଧରି ଲକ୍ଷ୍ମଣ ଏନ୍‌ସିଏ ଦାୟିତ୍ୱ ସମ୍ଭାଳିଥିବା ବେଳେ ଭାରତ ଏ ଓ ୧୯ ବର୍ଷରୁ କମ୍‌ ଭାରତୀୟ ଦଳର ଦାୟିତ୍ୱ ସମ୍ଭାଳିଛନ୍ତି। ଏହା ବ୍ୟତୀତ ରାହୁଲ ଡ୍ରାଭିଡଙ୍କ ଅନୁପସ୍ଥିତିରେ ସେ ଭାରତୀୟ ସିନିୟର ଦଳର କୋଚ ଦାୟିତ୍ୱ ମଧ୍ୟ ସମ୍ଭାଳିଛନ୍ତି। ଏନ୍‌ସିଏ ମୁଖ୍ୟ ଭାବରେ ଯୁବ ଖେଳାଳିଙ୍କ ସହ ତାଙ୍କର ସମ୍ପର୍କ ଭଲ ରହିଥିବା ବେଳେ ବିରାଟ କୋହଲି, ରୋହିତ ଶର୍ମା ଓ ମହମ୍ମଦ ଶାମିଙ୍କ ଭଳି ବରିଷ୍ଠ ଖେଳାଳିଙ୍କ ସହ ମଧ୍ୟ ତାଙ୍କର ଚମତ୍କାର ତାଳମେଳ ରହିଛି। ଉଭୟ ଯୁବ ଓ ବରିଷ୍ଠ ଖେଳାଳିଙ୍କ ସହ ତାଙ୍କର ସମ୍ପର୍କକୁ ଦୃଷ୍ଟିରେ ରଖିଲେ ତାଙ୍କୁ ଏହି ପଦ ପାଇଁ ମୁଖ୍ୟ ଦାବିଦାର ବିବେଚନା କରାଯାଉଛି।
ଗୌତମ ଗମ୍ଭୀର: ଭାରତ ପାଇଁ ଦୀର୍ଘ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ଗୌତମ ଗମ୍ଭୀର ଦୁଇ ଦୁଇଟି ବିଶ୍ୱକପ ବିଜୟୀ ଦଳର ସଦସ୍ୟ ରହିଛନ୍ତି। ଗମ୍ଭୀରଙ୍କ ରଣନୀତି ତାଙ୍କୁ ସର୍ବଦା ସ୍ବତନ୍ତ୍ର ପ୍ରତିପାଦିତ କରିଆସିଛି। ଅଧିନାୟକ ଭାବରେ କୋଲକାତାକୁ ୨ ଥର ଆଇପିଏଲ ଚାମ୍ପିୟନ କରିବା ସହ ମେଣ୍ଟର ଭାବରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ଦୁଇ ଥର ପ୍ଲେ ଅଫ୍‌ରେ ପ୍ରବେଶ କରାଇଥିଲେ। ଚଳିତ ସିଜନରେ ପୁନର୍ବାର କୋଲକାତାର ମେଣ୍ଟର ଭାବରେ ଯୋଗ ଦେଇ ଦଳକୁ ପ୍ଲେ ଅଫ୍‌ରେ ପ୍ରବେଶ କରାଇଛନ୍ତି। ମ୍ୟାନ୍‌ ମ୍ୟାନେଜମେଣ୍ଟରେ ଗମ୍ଭୀରଙ୍କ ଦକ୍ଷତା କାରଣରୁ ତାଙ୍କୁ ପ୍ରଶଂସା କରାଯାଇଥାଏ। ତେବେ କୋଲକାତା ଫ୍ରାଞ୍ଚାଇଜର ମାଲିକ ଶାହରୁଖ ଖାନ ତାଙ୍କୁ ଆବେଦନ କରିବାକୁ ସୁଯୋଗ ଦେବେ କି ନାହିଁ ତାହାକୁ ନେଇ ଦ୍ୱନ୍ଦ୍ୱ ରହିଛି। ପୂର୍ବରୁ ବିରାଟ କୋହଲିଙ୍କ ସହ ଗମ୍ଭୀରଙ୍କ ମନୋମାଳିନ୍ୟ ଦୂର ହୋଇ ସାରିଥିବା ବେଳେ ବର୍ତ୍ତମାନର ଅଧିନାୟକ ରୋହିତ ଶର୍ମାଙ୍କ ସହ ତାଙ୍କର ସମ୍ପର୍କ ଏହି ପଦ ପାଇଁ ତାଙ୍କୁ ଫେଭରିଟ୍‌ କରୁଛି। ତେବେ ଗମ୍ଭୀର କୌଣସି ଦଳର କୋଚ୍‌ ଭାବରେ କାର୍ଯ୍ୟ କରୁ ନ ଥିବାରୁ ବିସିସିଆଇ ତାଙ୍କୁ ସାମିଲ ନ କରିବାର ସମ୍ଭାବନା ରହିଛି।
ଜଷ୍ଟିନ୍‌ ଲାଙ୍ଗର: ଅଷ୍ଟ୍ରେଲିଆ ପାଇଁ ଆଶେସ୍‌ ଓ ଟି୨୦ ବିଶ୍ୱକପ୍‌ ଜିତିବାର ସୌଭାଗ୍ୟ ହାସଲ କରିଛନ୍ତି ଜଷ୍ଟିନ୍‌ ଲାଙ୍ଗର। ନିଜ ରଣନୀତି ତଥା ଶୃଙ୍ଖଳା ପାଇଁ ପରିଚିତ ଲାଙ୍ଗର ଭାରତୀୟ ଦଳର ମୁଖ୍ୟ କୋଚ୍‌ ଦୌଡରେ ଅନ୍ୟତମ ଦାବିଦାର ଅଟନ୍ତି। ତେବେ ନିକଟରେ ଲାଙ୍ଗର ଏକ ସାକ୍ଷାତକାର ସମୟରେ ଭାରତୀୟ ଦଳର କୋଚ୍‌ ହେବା ଉଭୟ ଶାରୀରିକ ଓ ମାନସିକ ଭାବରେ ହାଲିଆ କରିଥାଏ ବୋଲି କହିଥିଲେ। ଭାରତୀୟ ଦଳର କୋଚ୍‌ ଭାବରେ ଯାହା ଅର୍ଥ ମିଳିଥାଏ ସମାନ ପାଉଣା ଆଇପିଏଲରେ ଦୁଇ ମାସର କୋଚିଂ ପାଇଁ ମିଳିଥାଏ। ତେଣୁ ଲାଙ୍ଗର ସାଢେ ୩ ବର୍ଷର ସମୟ ଭାରତୀୟ ଦଳର କୋଚ୍‌ ରହିପାରିବେ କି ନାହିଁ ତାକୁ ନେଇ ସନ୍ଦେହ ଉପୁଜିଛି।

Share