ନୂଆଦିଲ୍ଲୀ,୩ା୯: ବହୁରାଷ୍ଟ୍ରୀୟ କଫି କମ୍ପାନୀ ଷ୍ଟାର୍ବକ୍ସର ନୂତନ ସିଇଓ ଭାବେ ଲକ୍ଷ୍ମଣ ନରସିଂହନଙ୍କୁ ନିଯୁକ୍ତ କରାଯାଇଛି। ଚଳିତ ବର୍ଷ ଅକ୍ଟୋବର ୧ରୁ ଲକ୍ଷ୍ମଣ ଉକ୍ତ କମ୍ପାନୀରେ ଯୋଗଦେଲେ ବି ୨୦୨୩ ଏପ୍ରିଲରେ ସେ କମ୍ପାନୀର ମୁଖ୍ୟ ଭାବେ ଦାୟିତ୍ୱ ନିର୍ବାହ କରିବେ ବୋଲି ଷ୍ଟାର୍ବକ୍ସ ପକ୍ଷରୁ କୁହାଯାଇଛି। ଏପରିକି ସେ ପର୍ଯ୍ୟନ୍ତ ସେ ଅସ୍ଥାୟୀ ସିଇଓ ହାୱାର୍ଡ ସଲ୍ଟଙ୍କ ଅଧୀନରେ କାର୍ଯ୍ୟ କରିବେ। କମ୍ପାନୀର ସମସ୍ତ କାର୍ଯ୍ୟକଳାପ ଓ ଲୋକ ସମ୍ପର୍କ ସହ ବ୍ୟବସାୟିକ ଢାଞ୍ଚା ବିଷୟରେ ଅବଗତ ହୋଇଗଲା ପରେ ଲକ୍ଷ୍ମଣ ନେତୃତ୍ୱ ନେବେ ବୋଲି କମ୍ପାନୀ ମତପ୍ରକାଶ କରିଛି। ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ନରସିଂହନ୍ ‘ଡ୍ୟୁରେକ୍ସ କଣ୍ଡୋମ୍,‘ଏନ୍ଫ୍ୟାମିଲି ବେବି ଫର୍ମୁଲା’ ଏବଂ ‘ମ୍ୟୁସିନେକ୍ସ କୋଲ୍ଡ୍ ସିରପ୍’ ନିର୍ମାତା ‘ରେକିଟ୍’ର ସିଇଓ ଭାବେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ଏହାଛଡା ସେ ଗ୍ଲୋବାଲ ଚିଫ୍ କମର୍ସିଆଲ୍ ଅଫିସର ଭାବେ ମଧ୍ୟ ‘ପେପ୍ସିକୋ’ରେ କାର୍ଯ୍ୟ କରିଥିଲେ। ପୁଣେ ବିଶ୍ବବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ଲକ୍ଷ୍ମଣ ଜର୍ମାନୀରୁ ସ୍ନାତକୋତ୍ତର ଏବଂ ୟୁନିଭର୍ସିଟି ଅଫ୍ ପେନିସଲ୍ଭାନିଆର ‘ଲଡର ଇନ୍ଷ୍ଟିଚ୍ୟୁଟ୍ରୁ ଆନ୍ତର୍ଜାତିକ ଅଧ୍ୟୟନ ଶେଷ କରିଛନ୍ତି। ଏହାଛଡ଼ା ୟୁନିଭର୍ସିଟି ଅଫ୍ ପେନ୍ସିଲଭାନିଆର ୱାର୍ଥନ୍ ସ୍କୁଲରୁ ସେ ବିଜ୍ନେସ୍ ଆଡମିିନିଷ୍ଟ୍ରେଶନରେ ମଧ୍ୟ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି।