Categories: ଜାତୀୟ

ଇଣ୍ଡିଆରେ ମାୟାବତୀଙ୍କ ପାଇଁ ଲକ୍ଷ୍ମଣ ରେଖା: ବିଏସପିକୁ ମିଶାଇଲେ ଏସପି ସହିତ ଏସବୁ ଦଳ ଯିବେ ବାହାରି…

ନୂଆଦିଲ୍ଲୀ,୨୩।୧୨ : ଦେଶରେ ଲୋକସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ସେମାନଙ୍କ ରଣନୀତି ପ୍ରସ୍ତୁତ କରିଛନ୍ତି। ଏଥର ନିର୍ବାଚନରେ କେବଳ ଦୁଇ ମିଳିତ ମେଣ୍ଟ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ପ୍ରଥମଟି ହେଉଛି ଏନଡିଏ ଏବଂ ଦ୍ୱିତୀୟଟି ହେଉଛି ଇଣ୍ଡିଆ। କିଛି ଦଳକୁ ଛାଡିଦେଲେ ଅଧିକାଂଶ ଆଞ୍ଚଳିକ ଦଳ ଏନଡିଏ କିମ୍ବା ଇଣ୍ଡିଆ ସହିତ ଅଛନ୍ତି। ଦେଶରେ ସର୍ବାଧିକ ଲୋକସଭା ଆସନ ରହିଛି ଉତ୍ତରପ୍ରଦେଶ ଏବଂ ମିଳିତ ମେଣ୍ଟ ନେଇ ସ୍ଥିତି ଅଡୁଆରେ ରହିଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ରାଜ୍ୟରେଏସପି ଏବଂ ବିଏସପିର ରାସ୍ତା ଅଲଗା ଦେଖାଯାଉଛି। ଇଣ୍ଡିଆରେ ମାୟାବତୀଙ୍କ ବିସଏପି ପାଇଁ ଲକ୍ଷ୍ମଣ ରେଖା ଟଣାଯାଇଛି। ଯଦି ବିଏସପି ଇଣ୍ଡିଆରେ ଯୋଗ ଦିଏ ତେବେ ଏସପି ସହ ବହୁ ଦଳ ମେଣ୍ଟରୁ ବାହାରି ଯିବେ।

ଅଖିଳେଶ ଯାଦବଙ୍କ ପାର୍ଟି ଏସପି ପ୍ରଥମ ଦିନରୁ ଇଣ୍ଡିଆରେ ଅନ୍ତର୍ଭୁକ୍ତ ହୋଇଛି। କିନ୍ତୁ ଲକ୍ଷ୍ମଣ ରେଖା ମାୟାବତୀଙ୍କ ପାଇଁ ମିଳିତ ମେଣ୍ଟରେ ଅଙ୍କିତ ହୋଇଛି। ଏସପି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ବିଏସପି ଇଣ୍ଡିଆରେ ଯୋଗଦେବା ନେଇ ଜାରି ରହିଥିବା କଳ୍ପନାଜଳ୍ପନାକୁ ବିରୋଧ କରିଛନ୍ତି। ସୂତ୍ରରୁ ପ୍ରକାଶ ବିଏସପିର ଯୋଗଦେବାକୁ ବିରୋଧ କରୁଥିବା ଆରଏଲଡିର ଜୟନ୍ତ ଚୌଧୁରୀ ମଧ୍ୟ ଏହି ପ୍ରସଙ୍ଗରେ ଅଖିଳେଶ ଯାଦବଙ୍କ ସହ ଯୋଗ ଦେଇଛନ୍ତି।

ମାୟାବତୀ ଉତ୍ତରପ୍ରଦେଶର ଦଲିତ ସମ୍ପ୍ରଦାୟର ସବୁଠାରୁ ବଡ ନେତା। ମାୟାବତୀଙ୍କ ବିନା, ୟୁପିର ୨୧-୨୨ ପ୍ରତିଶତ ଭୋଟରଙ୍କୁ ଆକର୍ଷିତ କରିବା ସମ୍ଭବ ନୁହେଁ। ଖବର ଅନୁସାରେ କଂଗ୍ରେସ ମାୟାବତୀଙ୍କ ସହ ଯୋଗାଯୋଗ କରିଛି। କଂଗ୍ରେସ ଚାହୁଁଛି ବିଏସପି ମଧ୍ୟ ଇଣ୍ଡିଆରେ ଯୋଗ ଦେଉ। ନିକଟରେ ଦିଲ୍ଲୀରେ ଅନୁଷ୍ଠିତ ମିଳିତ ବୈଠକରେ ଏହା ମଧ୍ୟ ଆଲୋଚନା କରାଯାଇଥିଲା। ଏହି ସମୟରେ ଅଖିଳେଶ ଯାଦବ ବିଏସପି ସମ୍ପର୍କରେ କଂଗ୍ରେସକୁ କଠୋର ପ୍ରଶ୍ନ ପଚାରିଥିଲେ। ସେ କହିଥିଲେ ଯଦି ବିଏସପି ଯୋଗ ଦିଏ ତା’ହେଲେ ସେମାନଙ୍କ ଦଳର ରାସ୍ତା ଭିନ୍ନ ହୋଇପାରେ।

ଏହା ପରେ ବିଏସପି ସୁପ୍ରିମୋ ମାୟାବତୀ ଗଣମାଧ୍ୟମ ସାମ୍ନାକୁ ଆସି ଇଣ୍ଡିଆ ବିଷୟରେ କହିଛନ୍ତି ଯେ ବିନା କାରଣରେ କୌଣସି ଦଳ ଉପରେ ନକାରାତ୍ମକ ମନ୍ତବ୍ୟ ଦେବା ଉଚିତ ନୁହେଁ। ଭବିଷ୍ୟତରେ କିଏ କାହା ପାଇଁ ଉପଯୋଗୀ ହେବ ତାହା କୁହାଯାଇପାରିବ ନାହିଁ। ସେହି ସମୟରେ ଏପରି ଲୋକ ଏବଂ ଏପରି ପାର୍ଟିକୁ ଲଜ୍ଜିତ ହେବାକୁ ପଡ଼ିବ। ମାୟାବତୀଙ୍କ ଏହି ବିବୃତ୍ତି ଏସପି ପାଇଁ ଥିଲା। ଏହା ପରେ ଅଖିଳେଶ ଯାଦବ ବିଏସପି ବିଷୟରେ କହିଥିଲେ ଏସପି ନିଜର ଆଭିମୁଖ୍ୟ ରଖିଛି।

Share