ଲକ୍ଷ୍ମୀଧର ବେହେରା ଆଇଆଇଟି ମଣ୍ଡି ନିର୍ଦ୍ଦେଶକ

ଭୁବନେଶ୍ୱର, ୧୨।୧(ବ୍ୟୁରୋ): ଓଡ଼ିଆ ଶିକ୍ଷାବିତ୍‌ ପ୍ରଫେସର ଲକ୍ଷ୍ମୀଧର ବେହେରାଙ୍କୁ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଆଇଆଇଟି) ମଣ୍ଡିର ନୂତନ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ଆଇଆଇଟି କାନ୍‌ପୁରରେ ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟରିଂ ବିଭାଗର ପୁନମ୍‌ ଏବଂ ପ୍ରଭୁ ଗୋଏଲ୍‌ ଚେୟାରର ପ୍ରଫେସର ବେହେରା ହେଉଛନ୍ତି ରୋବୋଟିକ୍ସ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବିଶେଷଜ୍ଞ। ସେ ଜଳବାୟୁ ନିୟନ୍ତ୍ରିତ କୃଷି, ଜୈବ ଶକ୍ତି, ରୋବୋଟିକ୍ସ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଳି କେତେକ କ୍ଷେତ୍ର ପାଇଁ ସ୍ବତନ୍ତ୍ର ଯୋଜନା ରଖିଥିବାବେଳେ ଆଇଆଇଟି ମଣ୍ଡିକୁ ର଼୍ୟାଙ୍କିଙ୍ଗରେ ଉନ୍ନତି ଆଣିବା ଉପରେ ସେ ଗୁରୁତ୍ୱ ଦେବେ ବୋଲି ପ୍ରଫେସର ବେହେରା କହିଛନ୍ତି।
୨୦୨୦ରେ କୋଭିଡ୍‌ ଲକ୍‌ଡାଉନ୍‌ ସମୟରେ ସେ ପ୍ରତିଦିନ ୧ ହଜାରରୁ ଅଧିକ ରାସ୍ତା କଡ଼ ପିଲାଙ୍କୁ ଖାଇବାକୁ ଦେବା ପାଇଁ କ୍ୟାମ୍ପସ୍‌ରେ ଏକ କମ୍ୟୁନିଟି ରୋଷେଇ ଘର ଚଳାଉଥିଲେ। ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅନ୍ତର୍ଗତ ତାଳସରା ଗ୍ରାମରେ ଜନ୍ମଗ୍ରହଣ କରିଥିବା ବେହେରା ଉଚ୍ଚଶିକ୍ଷା ପାଇଁ ୧୯୯୧ରେ ଓଡ଼ିଶା ଛାଡିଥିଲେ। ଏନ୍‌ଆଇଟି ରାଉରକେଲାରୁ ଏମ୍‌ଟେକ୍‌ ଶେଷ କରିବା ପରେ ଆଇଆଇଟି ଦିଲ୍ଲୀରୁ ପିଏଚ୍‌ଡି ପାଇଥିଲେ। ୨୦୦୧ରେ ଆଇଆଇଟି କାନପୁରରେ ଯୋଗଦେବା ପୂର୍ବରୁ ସେ ରାଜସ୍ଥାନର ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଏବଂ ଜର୍ମାନୀର ନ୍ୟାଶନାଲ ରିସର୍ଚ୍ଚ ସେଣ୍ଟର ଅଫ୍‌ ଇନଫରମେଶନ ଟେକ୍ନୋଲୋଜିରେ ବୈଜ୍ଞାନିକ ଭାବେ କାର୍ଯ୍ୟ କରିଥିଲେ।
ପ୍ରଫେସର ବେହେରାଙ୍କ ସମେତ ଆଉ ୩ ଜଣଙ୍କୁ ଦିଲ୍ଲୀ, ମାଡ୍ରାସ ଏବଂ ଇନ୍ଦୋର ଆଇଆଇଟିରେ ମଧ୍ୟ ନୂତନ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଆଇଆଇଟି ବମ୍ବେର ପ୍ରଫେସର ରଙ୍ଗନ ବାନାର୍ଜୀଙ୍କୁ ଆଇଆଇଟି ଦିଲ୍ଲୀର ପରବର୍ତ୍ତୀ ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଛି। ସେହିଭଳି ଆଇଆଇଟି ମାଡ୍ରାସର ପ୍ରଫେସର ଭି. କାମାକୋଟିଙ୍କୁ ସେହି ଅନୁଷ୍ଠାନର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି ଏବଂ ଆଇଆଇଟି ବମ୍ବେର ପ୍ରଫେସର ସୁହାଶ ଯୋଶୀଙ୍କୁ ଆଇଆଇଟି ଇନ୍ଦୋରର ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଛି।

Share