ମୃତଦେହ ରଖି ରାସ୍ତାରୋକୋ

ବରଗଡ଼୍‌,୩୦।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ବ୍ଲକ ଅନ୍ତର୍ଗତ ଗାଇସୀମା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ରବିବାର ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତ ଚାଷୀ ହେଲେ ଉକ୍ତ ଗ୍ରାମର ଗୋବିନ୍ଦ ଦେହେରୀ(୪୮)। ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାମବାସୀ ସମ୍ମିଳିତ ହୋଇ ମାଲିପାଲି ମାଇନର ଛକରେ ମୃତଦେହ ରଖି ବରଗଡ଼-ଭେଡ଼େନ ରାସ୍ତା ଅବରୋଧ କରିଥିଲେ। ପୋଲିସ ଏବଂ ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚତ୍ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ। ଲିଖିତ ପ୍ରତିଶ୍ରୁତି ମିଳିବା ପରେ ଲୋକେ ରାସ୍ତାରୋକୋରୁ ହଟିଥିଲେ।
ପ୍ରକାଶ ଯେ, ମୃତ ଚାଷୀ ଗୋବିନ୍ଦ ଅନ୍ୟ ଦିନ ଭଳି ରବିବାର କ୍ଷେତକୁ ଯାଇଥିଲେ ଏବଂ କ୍ଷେତ ହିଡ଼ରେ ଘାସ କାଟି ତାକୁ ମୁଣ୍ଡରେ ଧରି ଘରକୁ ଫେରୁଥିଲେ। ଫେରିବା ବାଟରେ ଗାଇସୀମା ମନ୍ଦିରର ଅନତିଦୂରରେ ତଳକୁ ଓହଳିଥିବା ୧୧କେ.ଭି କ୍ଷମତା ସମ୍ପନ୍ନ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ସେ ଆସିଥିଲେ। ଫଳରେ ସେଠାରେ ସେ ଟଳି ପଡ଼ିଥିଲେ। ଅନ୍ୟପଟେ ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଏବଂ ପଡ଼ୋଶୀ ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ ଏବଂ ଅପରାହ୍ନ ପ୍ରାୟ ୩ଟା ସମୟରେ ଘଟଣାସ୍ଥଳରେ ମୃତା ଅବସ୍ଥାରେ ତାଙ୍କୁ ପାଇଥିଲେ।
ତେବେ ତଳକୁ ୧୧କେ.ଭି କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ଓହଳିଥିବା ନେଇ ଅଞ୍ଚଳବାସୀ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ସେ ଦିଗରେ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇ ନ ଥିଲେ ଏବଂ ବିଦ୍ୟୁତ୍‌ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଗ୍ରାମର ଜଣେ ଚାଷୀଙ୍କ ଜୀବନ ଗଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଭଳି ଅଭିଯୋଗ କରି ଗ୍ରାମବାସୀ ମୃତଦେହ ଧରି ନିକଟସ୍ଥ ମାଲିପାଲି ମାଇନର ଛକରେ ମୃତକଙ୍କ ପରିବାରକୁ କ୍ଷତିପୂରଣ, ଚାକିରି ଦାବିରେ ବରଗଡ଼-ଭେଡ଼େନ ରାସ୍ତା ଅବରୋଧ କରିଥିଲେ। ଫଳରେ ରାସ୍ତାରେ ଗାଡ଼ି ଚଳାଚଳ ଠପ୍‌ ହୋଇଯାଇଥିଲା। ପରେ ଅତିରିକ୍ତ ଏସ୍‌ପି ତପନ କୁମାର ମହାନ୍ତି, ଏସ୍‌ଡିପିଓ ପଦାରବିନ୍ଦ ତ୍ରିପାଠୀଙ୍କ ସମେତ ବିଦ୍ୟୁତ ବିଭାଗର ଅଧିକାରୀମାନେ ଆନ୍ଦୋଳନସ୍ଥଳରେ ପହଞ୍ଚତ୍ଥିଲେ। ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରି ସେମାନଙ୍କ ଦାବି ପୂରଣ ଦିଗରେ ବିହିତ ପଦକ୍ଷେପ ନିଆଯିବ ବୋଲି ସେମାନେ ପ୍ରତିଶ୍ରୁତି ଦେବା ପରେ ସନ୍ଧ୍ୟା ପ୍ରାୟ ୭ଟାରେ ଲୋକେ ଆନ୍ଦୋଳନରୁ ଓହରିଥିଲେ।

Share