ନୂଆଦିଲ୍ଲୀ,୨୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଉତ୍ତରପ୍ରଦେଶର ସୋନଭଦ୍ର ଏବଂ ମିର୍ଜାପୁର ଜିଲାରେ ୨୩ ଜଳ ଯୋଜନାର ଶିଳାନ୍ୟାସ କରିଛନ୍ତି। ଭିଡ଼ିଓ କନଫରେନ୍ସିଂରେ ଆୟୋଜିତ ଏହି ଉତ୍ସବରେ ଯୋଗ ଦେଇ ମୋଦି କହିଛନ୍ତି ଯେ, ଏହି ଯୋଜନା ଦ୍ୱାରା ୩ ହଜାର ୫୦୦ରୁ ଅଧିକ ଗାଁରେ ପିଇବା ପାଣି ପହଞ୍ଚିପାରିବ। ଏହାଯୋଗୁ ୪୨ ଲକ୍ଷରୁ ଅଧିକ ଲୋକ ଉପକୃତ ହୋଇପାରିବେ। ଏହି ଯୋଜନା ପାଇଁ ୫୫୫୫.୩୮ କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇଛି। ଦେଶରେ ଜନସଂଖ୍ୟା ବଢୁଥିବାବେଳେ ଏବେ ପିଇବା ପାଣି ସମସ୍ୟା ବୃଦ୍ଧି ପାଉଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ହାତକୁ ନିଆଯାଇଛି। ଲୋକଙ୍କ ସମସ୍ୟା ଦୂର କରିବା ଲାଗି କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୋଦି କହିଛନ୍ତି। ଆସନ୍ତା ୨୪ ମାସ ମଧ୍ୟରେ ଏହି ଯୋଜନା ସମ୍ପୂର୍ଣ୍ଣ ହେବ ବୋଲି ସମୟ ଧାର୍ଯ୍ୟ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗ ଦେଇଥିଲେ।